ବାଲେଶ୍ୱର : ଖୋଲିଲା ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ଵର ମନ୍ଦିର
ବାଲେଶ୍ୱର : ଦୀର୍ଘ ଦିନ ପରେ ଖୋଲିଲା ବାଲେଶ୍ୱର ଜିଲା ଭୋଗରାଇର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର। ହେଲା ଭକ୍ତ ଓ ଭଗବାନଙ୍କ ମହାମିଳନ । ବାବା ଚନ୍ଦନେଶ୍ଵରଙ୍କୁ ଏବେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। କରୋନା କଟକଣା ମଧ୍ୟରେ ସମସ୍ତ ଗାଇଡଲାଇନ୍ ଅନୁପାଳନ କରି ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ମାତ୍ର ମନ୍ଦିର ଭିତରକୁ ଭୋଗ ନେଇ ପାରିବେ ନାହିଁ । ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବେ।
ସୂଚନା ଯେ, ମହାମାରୀ କରୋନା ପ୍ରକୋପ କମିବା ଯୋଗୁଁ ଦୀର୍ଘ ୫ମାସ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱର ମହାଦେବଙ୍କ ମୁଖ୍ୟ ଫାଟକ ବୁଧବାର ଭକ୍ତଙ୍କ ସକାଶେ ସରକାରୀ ଭାବେ ଖୋଲି ଦିଆଯାଇଛି । ପୂର୍ବାହ୍ନ ୭ଟାରେ ଚନ୍ଦନେଶ୍ୱର ମନ୍ଦିର ଖୋଲିବା ମାତ୍ରେ ବହୁ ଶୈବଭକ୍ତ ପୂର୍ବ ସିଂହଦ୍ୱାର ଓ ଦକ୍ଷିଣପାଶ୍ୱର୍ ଦେଇ ହରିବୋଲ ଧ୍ୱନୀ ଓ ଓଁ ନମଃ ଶିବାୟଃ ଧ୍ୱନୀ ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ । କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ଭକ୍ତମାନେ ଲମ୍ବାଧାନି ସହ ବିଶ୍ୱାସର ଠାକୁରଙ୍କୁ ଦର୍ଶନ କରି ବିଭୋର ହୋଇପଡ଼ିଥିଲେ । ସେବାୟତ ଓ ପଣ୍ଡାମାନଙ୍କ ଦ୍ୱାରା ନୀତିକାନ୍ତି ପୂଜା ପରେ ଭକ୍ତମାନେ କୂଳ ପାଉନଥିବା ଚନ୍ଦନେଶ୍ୱର ମହାଦେବଙ୍କ ଗର୍ତ୍ତଗର୍ଭରେ ଜଳାଭିଷେକ ସହ କଦଳୀ, ବେଲପତ୍ର, କ୍ଷୀର, ପୁଷ୍ପ, ଚନ୍ଦନ, ଧୂପ ଏବଂ ଫଳମୂଳ ନୈବିଦ୍ୟ ଅର୍ପଣ କରି ଆରାଧନା କରିଥିଲେ । ଭକ୍ତ ଓ ଭଗବାନଙ୍କ ମହାମିଳନରେ ସମଗ୍ର ପରିବେଶ ଏକପ୍ରକାର ମୁଖରିତ ହୋଇପଡ଼ିଥିଲା । ସ୍ଥାନୀୟ ଶୈବଭକ୍ତ ସହ ପଶ୍ଚିମବଙ୍ଗର ବହୁ ଭକ୍ତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଭିଡ଼ ଜମାଇଥବଲେ । ମନ୍ଦିରକୁ ପ୍ରବେଶ ନିମନ୍ତେ ଭକ୍ତଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ପ୍ରଶାସନ ଓ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତ୍ୟେକ ସପ୍ତାହର ଶନିବାର ମନ୍ଦିର ଓ ମନ୍ଦିର ପରିସରକୁ ସାନିଟାଇଜେସନ୍ କରାଯିବ । ଏଥିପାଇଁ ଶନିବାର ମନ୍ଦିର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଶନିବାର ବ୍ୟତୀତ ପ୍ରତ୍ୟେକଦିନ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମନ୍ଦିର ଖୋଲାଯିବ ବୋଲି ଟ୍ରଷ୍ଟବୋର୍ଡ଼ ଘୋଷଣା କରିଛି ।
