ଅକ୍ଟୋବର ୩ ରେ ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା
ଭବାନୀପାଟଣା : ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା’ ମାଣିକେଶ୍ଵରୀ ପ୍ରସିଦ୍ଧ ଛତ୍ରଯାତ୍ରା ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ୨ ତାରିଖ ମହାଷ୍ଟମୀ ପୂଜା ପରେ ମଧ୍ୟରାତ୍ରରୁ ଜେନାଖାଳକୁ ମା’ ଯିବେ ଏବଂ ଅକ୍ଟୋବର ୩ ତାରିଖ ସକାଳ ୫ଟା ସମୟରେ ପୂଜା ଅର୍ଚ୍ଚନା ସାରି ମା’ଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରା ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ସକାଳ ୧୦ଟା ୩୦ମିନିଟ ସମୟରେ ମନ୍ଦିର ପ୍ରବେଶ କରିବେ। ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କଲେ ଏବଂ ଗୃହରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା। ମା’ଙ୍କ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଲାସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ।
ମା’ଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ଵାରା ପୁରସ୍କୃତ ପ୍ରଥମ ଓ ଦ୍ବିତୀୟ ଘୁମୁରା ଦଳ ବ୍ୟତୀତ ପୁଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ। ଛତ୍ରଯାତ୍ରା ପାଇଁ ରାସ୍ତା ମରାମତି, ନାଳ ନର୍ଦ୍ଦମା ସଫା, ପାନୀୟ ଜଳ, ନିରବିଛିନ୍ନ ବିଦ୍ୟୁତ ସରବରାହ, ମଦ ଓ ନିଶା ଦ୍ରବ୍ୟର ବିକ୍ରି ନିଶେଧ, ଶାନ୍ତି ଶୃଙ୍ଖଳା, ଆମ୍ବୁଲାନ୍ସ, ମାଜିଷ୍ଟ୍ରେଟ, ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ପୌର ପରିଷଦ, ବିଦ୍ୟୁତ ବିଭାଗ, ପୁଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା।
ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ କୃତିମ୍ ପଲିଥିନ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତ୍ରଯାତ୍ରାକୁ ସୁରକ୍ଷିତ, ଜନସମାଗମକୁ ନିୟନ୍ତ୍ରଣ, ସାଂସ୍କୃତିକ ଦଳର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ ବୈଠକ ଆୟୋଜନ କରିବେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଉପ ଜିଲ୍ଲାପାଳ, ଧର୍ମଗଡ ସଚିନ ପାୱାର, ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବିଚାର ବିଭାଗୀୟ ଅଧିକାରୀ, ସହରର ବିଭିନ୍ନ ଦୂର୍ଗା ପୂଜା କମିଟିର କର୍ମକର୍ତ୍ତା, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ସମାଜ ସେବୀ ଉତ୍ସବ ସାହୁ, ମନ୍ଦିର କର୍ତ୍ତୃପକ୍ଷ ଅଶୋକ ନେଗି, ବଦ୍ରି ନାରାୟଣ ପଟ୍ଟନାୟକ, ସାମନ୍ତ ଖମାରୀ, ଜଗଦୀଶ ମଣ୍ଡଳ, ସତ୍ୟ ନାରାୟଣ ମହାପାତ୍ର, ଡି ଆଈ ପି ଆର୍ ଓ ମନୋଜ ବେହେରା, ଆଇଆଇସି ପ୍ରଦୀପ ଧାରୁଆ, ଆରଟିଓ ରାମ ନିବାସ ସିର୍କା, ଇଓ ବଳୟ ଦେହୁରୀ, ମସଜିଦ କମିଟି ସଭ୍ୟ, ବିଭାଗୀୟ ଅଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
