ଗୃହୀତ ହେଲା ‘ମିଛ ଖବର’ ଆଇନ, ରୁଷିଆରେ ଫେସ୍ବୁକ୍କୁ ବ୍ଲକ୍
ମୋସ୍କୋ : ରୁଷ୍ରେ ଗୃହୀତ ହେଲା ‘ମିଛ ଖବର’ ଆଇନ । ଫେସ୍ବୁକ୍ ରୁଷ୍ର ରାଷ୍ଟ୍ରାୟତ ଗଣମାଧ୍ୟମକୁ ବାଦ୍ ଦେଇଥିବାରୁ ରୁଷିଆରେ ଫେସ୍ବୁକ୍କୁ ବ୍ଲକ୍ କରାଯାଇଛି । ନୂଆ ‘ଫେକ୍ ନ୍ୟୁଜ୍’ ଆଇନ ବଳରେ ଏଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ବାରା ରୁଷ୍ର ୟୁକ୍ରେନ୍ ଯୁଦ୍ଧ ବିଦେଶୀ କର୍ପୋରେସନଗୁଡ଼ିକ ସହ ଯୁଦ୍ଧକୁ ସମ୍ପ୍ରସାରିତ କରାଯାଇଥିବା ଜଣାପଡ଼ିଛି । ୟୁକ୍ରେନ୍ ସହ ଯୁଦ୍ଧ ଆରମ୍ଭ ହେବା ପରେ କମ୍ପାନିଗୁଡ଼ିକ ମଧ୍ୟରେ ବିବାଦ ଦେଖାଦେଉଛି । ଶୁକ୍ରବାର ରୁଷିଆ କେତେକ ମିଡ଼ିଆ କମ୍ପାନିକୁ ବ୍ଲକ୍ କରିଛି ।
ନିଜ ସେନା ବିରୋଧରେ ‘ମିଛ ଖବର’ ପ୍ରସାରଣ କରୁଥିବା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିରୋଧରେ ରୁଷ୍ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ରୁଷ୍ ରାଷ୍ଟ୍ରପତି ପୁଟିନ ସ୍ପଷ୍ଟ କରିଛନ୍ତି ଯେ, ମିଛ ଖବର ପ୍ରସାରଣ କଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ । ଏଥିସହିତ ମାଇକ୍ରୋସଫ୍ଟ ଓ ଭିଡ଼ିଓ ଗେମ୍ ମେକର ଇଲେକ୍ଟ୍ରୋନିକ୍ ଆର୍ଟସ ପ୍ରମୁଖ କମ୍ପାନି ରୁଷିଆରେ ବ୍ୟବସାୟ ବନ୍ଦ ହୋଇଥିବା ଘୋଷଣା କରିଛନ୍ତି । ରୁଷିଆ କହିଛି, ଫେସ୍ବୁକ୍ ରୁଷ୍-ସମର୍ଥିକ ଚ୍ୟାନେଲଗୁଡ଼ିକ ଉପରେ କଟକଣା ଲଗାଇଥିବାରୁ ଦେଶରେ ଫେସ୍ବୁକ୍କୁ ବ୍ଲକ୍ କରାଗଲା । ତା’ ସହ ବିବିସି, ଡଏଚ୍ ୱେଲ ଓ ଭଏସ୍ ଅଫ୍ ଆମେରିକାର ୱେବ୍ସାଇଟକୁ ମଧ୍ୟ ବ୍ଲକ୍ କରାଯାଇଛି। କାରଣ ଏମାନେ ୟୁକ୍ରେନ୍ ଯୁଦ୍ଧ ନେଇ ମିଥ୍ୟା ଖବର ପରିବେଷଣ କରୁଛନ୍ତି। ଏହା ସହ ଟ୍ବିଟରକୁ ମଧ୍ୟ ବ୍ଲକ୍ କରାଯିବ ବୋଲି ରୁଷ୍ ମିଡ଼ିଆ ପକ୍ଷରୁ ଘୋଷଣା କରାଯାଇଛି।
