ଫକୀରମୋହନ ସାହିତ୍ୟଘର ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୃଷ୍ଠପୋଷକତାରେ ଫକୀରମୋହନ ସାହିତ୍ୟଘର ଉଦ୍ଘାଟିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଅଧ୍ୟାପକ ଦାଶ ବେନହୁର ଓ ବିଶିଷ୍ଟ କଥାଶିଳ୍ପୀ, ଓଡ଼ିଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ବିଜୟ ନାୟକ ସମ୍ମାନୀତ ଅତିଥି ରୂପେ ଏବଂ ସ୍ନାତକୋତର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଅନୀଳ କୁମାର ମହାପାତ୍ର କର୍ମକର୍ତ୍ତା ଗୁପେ ଏହି ସଭାରେ ଯୋଗଦେଇଥିଲେ ।
କୁଳପତି ମନୋଦୟ ନିଜର ପରିକଳ୍ପିତ ଯୋଜନା ଆଜି ଫକୀରମୋହନ ସାହିତ୍ୟଘର ରୂପେ ବାସ୍ତବାୟିତ ହୋଇପାରିଥିବା ହେତୁ ଏଭଳି ପଦକ୍ଷେପ ସାହିତ୍ୟର ପ୍ରସାର ଓ ପ୍ରଭାକର ସମ୍ଭାବନା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସାହିତ୍ୟଘର କେବଳ ଭାଷା ସାହିତ୍ୟ ବିଭାଗ ବା ସାହିତ୍ୟର ବିଷୟର ପରିସର ମଧ୍ୟରେ ସୀମିତ ହୋଇ ରହିବାର ମାନସିକତା ନରଖି ଏହାକୁ ସବୁ ବିଷୟ ସହିତ ଯୋଡ଼ି ସମସ୍ତଙ୍କ ଭିତରେ ଲୁକ୍କାୟିତ ଭାବରେ ରହିଥିବା ସର୍ଜନଶୀଳ ପ୍ରତିଭାର ଉନ୍ମୋଚନ କ୍ଷେତ୍ରରେ ଏହାର ଗୁରୁତ୍ୱକୁ ପ୍ରାଥମିକତା ଦେବା ଉଚିତ୍ ବୋଲି କହିଥିଲେ । ପ୍ରଫେସର ଅନୀଲ କୁମାର ମହାପାତ୍ର ଏହି ସାହିତ୍ୟଘରର ପ୍ରାସଙ୍ଗିକତାକୁ ଯଥାର୍ଥ ବୋଲି କରିବା ସହିତ ସାମ୍ପ୍ରତିକ ସମୟରେ ସାହିତ୍ୟ ଅନୁରାରୀ ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଏକ ଅଭିନବ ଯୋଜନା ବୋଲି ମତ ଦେଇଥିଲେ ଓ ସ୍ୱରଚିତ କବିତା ପାଠ କରିଥିଲେ । ବିଜୟ ନାୟର ପ୍ରାଚୀନ ସାହିତ୍ୟ ଠାରୁ ଆରମ୍ଭ କରି ଆଧୁନିକ ତଥା ସାମ୍ପ୍ରତି ସାହିତ୍ୟରେ ରୂପାୟିତ ହୋଇଥିବା ବହୁବିଧ ଦିଗ ଏବଂ ଯୁଗୀୟ ବୈଶିଷ୍ଟ୍ୟଗୁଡ଼ିକର ପ୍ରାସଙ୍ଗିକତାକୁ ତର୍ଜମା କରିବା ସହିତ କଳ୍ପନା ସୌନ୍ଦର୍ଯ୍ୟରେ ସବୁ କାଳର ସାହିତ୍ୟ କିପରି ପାଠକର ବିବାର ଧାରାକୁ ନିୟନ୍ତ୍ରିତ କରିଆସିଛି ସେ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ସାହିତ୍ୟ କଳାଗତ ସୌନ୍ଦର୍ଯ୍ୟର ଶୃଙ୍ଖଳିତ ପରିପ୍ରକାଶ ହୋଇଥିଲେ ହେଁ ଏଥିରେ ସ୍ଥଳ ଜଗତର ସତ୍ୟତା ଓ ସୂକ୍ଷ୍ମ ଜଗତର ସତ୍ୟତା ରୂପାୟିତ ହୋଇ ପାଠକର ନିକଟବର୍ତ୍ତୀ ହୋଇଥିବାର ଯଥାର୍ଥତା ଦର୍ଶାଇଥିଲେ । ଅନ୍ୟତମ ବକ୍ତା ଦାଶ ବେନହୁର ସାହିତ୍ୟ ଭିତରେ ସମ୍ବେଦନା ରହିଥିବା ହେତୁ ପାଠକ ତଥା ସାମାଜିକ ମଣିଷ ଭିତରେ ସାଂସ୍କୃତିକ ମୂଲ୍ୟବୋଧକୁ ଜାଗ୍ରତ କରିବା କ୍ଷେତ୍ରରେ ସାହିତ୍ୟର ସର୍ବାଧିକ ଭୂମିକା ଭଳିଛି ବୋଲି ମତ ଦେଇଥିଲେ । ସମ୍ପ୍ରତି ଅଭିଭାବକ ମହଲରେ ତଥା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁ ସାହିତ୍ୟ ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉନଥିବା ହେତୁ ସେମାନଙ୍କ ଭିତରେ ସାହିତ୍ୟ ପ୍ରତି ଅନୁରାଗ କ୍ରମଶଃ କ୍ଷୀଣ ହୋଇଯାଉଥିବାର ଲକ୍ଷ୍ୟ କରାଯାଉଛି ବୋଲି ଆଶଙ୍କା କରିଥିଲେ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ଶିଶୁ ସାହିତ୍ୟକୁ ବିଷୟବସ୍ତୁ ରୂପେ ସ୍ଥାନ ଦେବାର ପ୍ରାସଙ୍ଗିକତା ରହିଛି ବୋଲି ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମଟିକୁ ବିଭାଗର ଅଧ୍ୟାପକ ଡ. ଦେବାଶିଷ ପାତ୍ର ସଂଯୋଜନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭାଗ ମୁଖ୍ୟ ପ୍ରଫେସର ମେହେର ଏଭଳି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସବୁ ବିଷୟର ଶିକ୍ଷକ ତଥା ଛାତ୍ରୀଛାତ୍ରମାନଙ୍କର ଯୋଗଦାନ ସେମାନଙ୍କର ଜୀବନ ନିର୍ମାଣରେ ଉପକାରକ ହୋଇପାରିବ ବୋଲି ସଭାପତି ଅଭିଭାଷଣରେ କହିଥିଲେ । ବାଲେଶ୍ୱରର ବିଶିଷ୍ଟ ସାହିତ୍ୟିକ ଓ ସାହିତ୍ୟ ଅନୁରାଗୀ ବ୍ୟକ୍ତି ବିଶେଷ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଗୌରବ ବୃଦ୍ଧି କରିଥିଲେ । ବିଭାଗର ଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଭିତ୍ତି ସଂଗୀତ ପରିବେଷଣ କରିଥିଲେ । ପାଠଚକ୍ରର ସମ୍ପାଦକ ବାବୁଲୁ ପ୍ରଧାନ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।
