ବାରିପଦାରେ ନକଲି ମଦ କାରଖାନା ଉପରେ ଚଢ଼ାଉ ଜଣେ ଗିରଫ ସହ ବିଦେଶୀ ମଦ, ସ୍ପିରିଟ ଓ ସରଞ୍ଜାମ ଜବତ
ବାରିପଦା : ନକଲି ମଦ କାରବାର ଥମିବାର ନାମ ଧରୁନି । ଅନେକ ସ୍ଥଳରେ ଏହି ନକଲି ମଦ୍ୟପାନ କରି ଲୋକେ ଦୁରାରୋଗ୍ୟରେ ପଡିବା ସହିତ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ତେବେ ମୟୂରଭଂଜ ଜିଲ୍ଲାରେ ପ୍ରାୟତଃ ୧୮ ଏବଂ ୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଢ଼ାବା ଗୁଡିକରେ ପ୍ରତିଦିନ ବିପୁଳ ପରିମାଣର ମଦ ଚୋରାରେ ବିକ୍ରି ହୋଇଥାଏ । ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ କାଁଭାଁ ଏଗୁଡିକ ଉପରେ ଚଢାଉ କରୁଥିବା ବେଳେ ଦିନରାତି ଖୁଲୁମ ଖୁଲା ଚିରା ମଦ ବେପାର ଚାଲିଛି । ତେବେ ଆଜି ବାରିପଦା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଥାନା ଇନ୍ସପେକ୍ଟର ଓ କର୍ମଚାରୀ ନକଲି ମଦ ତିଆରି ହେଉଥିବା ସ୍ଥାନରେ ଚଢ଼ାଉ କରି ବିପୁଳ ନକଲି ମଦ,ବିଭିନ୍ନ ବିଦେଶୀ ବ୍ରାଣ୍ଡର ଲେବୁଲ ସହିତ ଠିପି ବହୁଳ ପରିମାଣରେ ଜବତ କରିଛି । ସୂଚନା ମୁତାବକ ଶନିବାର ସକାଳ ୬ଟା ସମୟରେ ଅବକାରୀ ଟିମର ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ ଦାସ, ଏଏସଆଇ କ୍ଷୀରୋଦ ପାତ୍ର, ଅବକରି କନଷ୍ଟେବଳ ହେମନ୍ତ କୁମାର ପାତ୍ର, ବିଶ୍ୱଜିତ ବେହେରା, ଅନୁରାଜ ତରେଇ, ପ୍ରଭାତି ମଲ୍ଲ ପ୍ରମୁଖ ଦାରୋଗଦାହି ସ୍ଥିତ ସେରାବାଲି ଢ଼ାବା ପଛ ପଟେ ଏକ ନିକାଞ୍ଚନ ଜାଗାରେ ବେଆଇନ ମଦ କାରଖାନା ଚାଲୁଥିବାର ଖବର ପାଇ ଚଢ଼ାଉ କରି ନକଲି ମଦ ପ୍ରସ୍ତୁତିର ପର୍ଦା ଫାଶ କରିଛି । ଏଚଢଉ ବେଳେ ୧୨ଲିଟର ବିଦେଶୀ ମଦ, ୧୮ ଲିଟର ନକଲି ବ୍ଲେଣ୍ଡିଙ୍ଗ ସ୍ପିରିଟ, ୧୬.୨୫୦ ଲିଟର ବିଅର, ୨୦୦୦ ନକଲି ଲେବୁଳ, ୭୦୦ଟି ଠିପି ଆଦି ଜବତ ହୋଇଥିବା ବେଳେ ଏହି ଅଭିଯୋଗରେ ରାଜେନ୍ଦ୍ର ଗୋପ ନାମକ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରି ଥିବାର ଜଣାପଡିଛି ।
