ବିଶ୍ୱାସ ବନାମ ବିଜ୍ଞାନ! ପାକତ୍ୟାଗ ବେଳେ ବିରିୟାନୀ ଖାଇ ବହପ ଦେଖାଇଲେ ହେତୁବାଦୀ
ଭୁବନେଶ୍ୱର: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଶେଷ ହୋଇଛି। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ଥିଲା। ଅକ୍ଟୋବର ୨୫ରେ ଆଇସଲ୍ୟାଣ୍ଡରୁ ଦିନ ୨ଟା ୨୯ରେ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ରେ ଆରବ ସାଗରରେ ଶେଷ ହେବ ବୋଲି ଜ୍ୟୋତିର୍ବିଦମାନେ ଗଣନା କରିଛନ୍ତି। ଭାରତରେ ଏହା ଅପରାହ୍ନ ପ୍ରାୟ ୪ଟା ୨୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୦ରେ ଶେଷ ହେବ। ଏଥି ସହିତ ସୂର୍ଯ୍ୟ ପରାଗର ସୂତକ ସକାଳ ପ୍ରାୟ ୪ଟା ୨୧ ମିନିଟରେ ଲାଗିଯିବ। ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ, ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହୁଏ। ସୂତକ କାଳ ସୂର୍ଯ୍ୟାସ୍ତ ପରେ ଶେଷ ହୋଇଯିବ। ସୂତକ କାଳ ସମୟରେ ପାକ ନିଷେଧ କରାଯାଇଥାଏ। କିନ୍ତୁ ଏହାକୁ ପ୍ରତିବାଦ କରି ଭୁବନେଶ୍ୱରରେ କିଛି ହେତୁବାଦୀ ଚିକେନ ବିରିୟାନୀ ଖାଇବା ସହ ଅନ୍ୟଙ୍କୁ ମଧ୍ୟ ଖୁଆଇଥିବା ଦେଖିବାକୁ ମିଳିଛି।
ସୂର୍ଯ୍ୟ ପରାଗ ପାଇଁ ରାଜ୍ୟରେ ଆଜି ସରକାରୀ ଛୁଟି ଘୋଷଣା କରାଯାଇଛି। ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ ବୋଲି ପୂର୍ବରୁ କୁହାଯାଇଥିଲା। ସୂତକ କାଳ ଏହାର ୧୨ ଘଣ୍ଟା ଅର୍ଥାତ ସକାଳ ଚାରିଟାରୁ ଲାଗିଥିବାରୁ ଏହି ସୟରେ ପାକ ନିଷିଧ କରାଯାଇଥିଲା। ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ସୂର୍ଯ୍ୟ ପରାଗ ସମୟରେ ଏହି ସବୁ କାମ କରିବା ଅନୁଚିତ:-
୧. ସୂର୍ଯ୍ୟ ପରାଗର ସୂତକରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ।
୨. ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍। ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ। ଗର୍ଭବତୀ ମହିଳାମାନେ ଏହି ସମୟ ମଧ୍ୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ।
୩. ସୂତକ ସମୟରେ ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଘରର ମନ୍ଦିରରେ ଘୋଡାଇ ରଖନ୍ତୁ। ଏହି ସମୟରେ ଆଦୌ ପୂଜା କରନ୍ତୁ ନାହିଁ।
୪. ସୂର୍ଯ୍ୟ ପରାଗ ସମୟରେ ଅର୍ଥାତ ୪:୨୯ ମିନିଟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହୋଇପାରିବ ଯଦି ଶୌଚ କରନ୍ତୁ ନାହିଁ।
୫. ସୂର୍ଯ୍ୟ ପରାଗର ସମୟ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।
୬. ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇବା କିମ୍ବା ଯାତ୍ରା କରନ୍ତୁ ନାହିଁ।
କିନ୍ତୁ ଅନ୍ୟପଟେ ସୂର୍ଯ୍ୟ ପରାଗକୁ ନେଇ ପୁଣି ଥରେ ବିଶ୍ୱାସ ଓ ବିଜ୍ଞାନ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ ପରାଗ ଭୟରେ ମଙ୍ଗଳବାର ସକାଳୁ ଲକ୍ଷ ଲକ୍ଷ ଘରେ ଚୁଲି ଜଳି ନାହିଁ, ଅନ୍ୟପଟେ ହେତୁବାଦୀମାନେ ଭୋଜି ଭାତ କରିଛନ୍ତି। ସୂର୍ଯ୍ୟ ପରାଗ ନୀତିକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ରାଜଧାନୀ ଭୁବନେଶ୍ବରରେ ହେତୁବାଦୀମାନେ ଚିକେନ ବିରିୟାନୀ ଖାଇଛନ୍ତି। ପାକତ୍ୟାଗ ସମୟରେ ସେମାନେ ନିଜେ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁଆଇଛନ୍ତି। ହେତୁବାଦୀମାନେ ସୂର୍ଯ୍ୟ ପରାଗ ଦିନ ପାକ ନିଷେଧ ନିୟମ ରହିଥିବାବେଳେ ରୋଷେଇ କରିଛନ୍ତି। ଭାରତୀୟ ସଂସ୍କୃତିରେ ସୂର୍ଯ୍ୟ ପରାଗ ବେଳେ ପାଗତ୍ୟାଗ ନୀତି କାହିଁ କେଉଁ କାଳରୁ ଚାଲି ଆସିଛି। ହେଲେ ଏହାକୁ ହେତୁବାଦୀମାନେ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି।
ହେତୁବାଦୀଙ୍କ ମତରେ ପରାଗ ସମୟରେ ପାକ ନିଷେଧର କୌଣସି ଆବଶ୍ୟକତା ନାହିଁ। ଏହା ପ୍ରତ୍ୟେକ ଦିନର ଘଟଣା। ସୂର୍ଯ୍ୟ କାଲି ଯେଉଁ କିରଣ ଦେଉଥିଲେ ଆଜି ସେଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା କୌଣସି ସମସ୍ୟା ନୁହେଁ। ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା ଉଚିତ, ନହେଲେ ଶରୀର ଅସୁସ୍ଥ ହୋଇଯାଏ। ଏଭଳି ନୀତି କେବଳ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ତିଆରି କରାଯାଇଛି। ତେବେ ରାଜ୍ୟର ବିଭିନ୍ନ ସହରରେ ହେତୁବାଦୀଙ୍କ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ଓ ବୟସ୍କମାନେ ମଧ୍ୟ ସାମିଲ ହୋଇଥିଲେ। ତେବେ ଦୀର୍ଘ ବର୍ଷ ଧରି ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଖାଉଛନ୍ତି, କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ କୌଣସି ଅସୁବିଧା ହୋଇନାହିଁ ବୋଲି ହେତୁବାଦୀମାନେ ଦାବି କରିଛନ୍ତି।
