ପିଛା ଛାଡୁନି ବିଫଳତା ! ଟି-୨୦ରୁ ବାଦ ପଡିପାରନ୍ତି କୋହଲି
ମୁମ୍ୱାଇ : ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଥିବା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମୟ ଖରାପ ଚାଲିଛି । ଲଗାତର ସେ ଫ୍ୟାନ୍ସଙ୍କୁ ନିରାଶ କରି ଚାଲିଛନ୍ତି । ବିଫଳତା ତାଙ୍କ ପିଛା ଛାଡୁନି । ଏପରିକି ସେ ଭାରତୀୟ ଟି-୨୦ ଜାତୀୟ ଦଳରୁ ମଧ୍ୟ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।
କୋହଲିଙ୍କ ବର୍ତ୍ତମାନର ଫର୍ମ ଜାତୀୟ ଚୟନକର୍ତ୍ତା ତଥା ବସିସିଆଇକୁ ବି ଚିନ୍ତାରେ ପକାଇଛି । ଆଇପିଏଲ ସରିବା ପରେ ଦକ୍ଷିଣ ଆଫ୍ରିକା ସହ ଟିମ ଇଣ୍ଡିଆ ଟି-୨୦ ସିରିଜ ଖେଳିବ । କୋହଲିଙ୍କୁ ଏହି ଫର୍ମ ସହ ଦଳରେ ସ୍ଥାନ ମିଳିବ କି ନାହିଁ, ତାକୁ ଅପେକ୍ଷା କରିଛନ୍ତି କ୍ରିକେଟ ପ୍ରେମୀ । ଏପଟେ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାତ୍ସୀ । ଶାସ୍ତ୍ରୀ କହିଛନ୍ତି, ଯେ ବିରାଟଙ୍କ ପ୍ରଦର୍ଶନ ତାଙ୍କୁ ବ୍ୟଥିତ କରିଛି । ବିରାଟ ଲଗାତର କ୍ରିକେଟ ଖେଳିଚାଲିଛନ୍ତି । ସନ୍ତୁଳନ ରକ୍ଷା କରିବାକୁ, କ୍ରିକେଟରୁ କିଛି ସମୟ ବିଶ୍ରାମ ନେବା ତାଙ୍କ ପାଇଁ ବିଜ୍ଞତାର ପରିଚୟ ହେବ । ଆହୁରି ୬-୭ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଜାରି ରଖିବାକୁ ବର୍ତ୍ତମାନ ଆଇପିଏଲରୁ ଓହରି ଯିବା ଉଚିତ ହେବ ବୋଲି କହିଛନ୍ତି ଶାସ୍ତ୍ରୀ ।
