ଦଶହରା, ଦୀପାବଳି ପରେ ଫିକା ପଡିବ କାର୍ତ୍ତିକ, ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ଦଶହରା, ଦୀପାବଳି ପରି କାର୍ତ୍ତିକ ପୂର୍ଣ୍ଣମା ମଧ୍ୟ ଫିକା ପଡିବାର ସମ୍ଭାବନା ଅଛି। କାରଣ ନଭେମ୍ବର ୪ ତାରିଖରେ ପଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶୁକ୍ରବାର ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨ରୁ ତିନି ଦିନ ପର୍ଯ୍ୟନ୍ତ ସ୍ଥାନ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପରେ ପରିଣତ ହେବ। ଦେଶର ପୂର୍ବଉପକୂଳରେ ଏହାର ପ୍ରଭାବ ଦେଖିବାକୁ ମିଳିପାରେ।
ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣମି ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ନାହିଁ। ଆସନ୍ତା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ଉଭୟ ରାତି ଓ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳରେ ଟିକେ ଶୀତ ଅନୁଭୁତ ହେବ। କିଛି ସ୍ଥାନରେ ମଧ୍ୟମରୁ ଘନକୁହୁଡି ପଡିବ। ତେବେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେଉଁ ଅଞ୍ଚଳରେ ବର୍ଷା ହେବ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଘୁର୍ଣ୍ଣିବଳୟ, ଲଘୁଚାପରେ ପରିଣତ ହେବା ପରେ ତାହାର ଗତିପଥ ବିଷୟରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।
ଆସନ୍ତା ୪ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ। ମାତ୍ର ଲଘୁଚାପର ପ୍ରଭାବ ପୂର୍ବ ଭାରତରେ ପଡ଼ିବା ନେଇ ବିଭିନ୍ନ ମଡେଲ୍ ଆକଳନ କରୁଛନ୍ତି। ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨-୩ ଦିନ ରହିବ ଏବଂ ବିଷୁବ ରେଖାର ନିକଟ ହେତୁ ଘନୀଭୂତ ହେବାରେ ବିଳମ୍ବ ହେବ। ପରବର୍ତ୍ତୀ ସମୟରେ ୭ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହୋଇପାରେ। କେତେକ ମଡେଲରୁ ଜଣାପଡ଼ୁଛି ଯେ ଏହା ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିବ। ତେବେ କେତେ ଘନୀଭୂତ ହେବ ଓ ଗତିପଥ କଣ ରହିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।
ଅନ୍ୟପକ୍ଷରେ, ରାଜ୍ୟର କେତେକ ସ୍ଥାନରେ କୁହୁଡ଼ି ପଡ଼ିବା ସହିତ ରାତ୍ରିକାଳୀନ ୨୦ ଡିଗ୍ରୀ ତଳକୁ ରହୁଛି । ଫୁଲବାଣୀର କୁହୁଡ଼ି ଦୃଶ୍ୟମାନର ଦୂରତା ୨୦୦ ମିଟର ରହୁଥିଲା ବେଳେ ଭବନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ରହୁଛି । ସେହିପରି କୋରାପୁଟରରେ ରାତ୍ରିକାଳୀନ ତାପମାତ୍ରା ୧୧.୬ ରହୁଥିଲା ବେଳେ ସିମିଳିଗୁଡ଼ାରେ ୧୧.୪ ଡିଗ୍ରୀ ରହୁଛି । କିରେଇ(ସୁନ୍ଦରଗଡ଼)ରେ ୧୧.୫ ଡିଗ୍ରୀ, ଜି. ଉଦୟଗିରି(କନ୍ଧମାଳ)ରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପରରେ ୧୪.୨ ଡିଗ୍ରୀ ଓ ଭବାନିପାଟଣାରେ ୧୪.୮ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି । ଦୈତ୍ୟ ନଗର ଭୁବନେଶ୍ୱରରେ ୧୯.୪ ଡିଗ୍ରୀ ଏବଂ କଟକରେ ୨୦ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
