ଉତରାଖଣ୍ଡରେ ପ୍ରଳୟଙ୍କରୀ ବର୍ଷା, ୩୪ ମୃତ
କୋଚି : କେରଳ ପରେ ଉତ୍ତରାଖଣ୍ଡ । ଦେବଭୂମିରେ ଦାଉ ସାଧୁଛି ଦୁର୍ବିପାକ । ଭାରି ବର୍ଷାରେ ବେହାଲ ବଦ୍ରିନାଥ ଧାମ । ନୈନିତାଲରେ କାର୍ ଭାସୁଛି, ନଦୀରେ ହାତୀ ଫସିଛି । ଗୋଲାନଦୀରେ ଧୋଇ ଯାଇଛି ପୋଲ । ଚମ୍ପାୱତ୍ ଚାଲିଥି ନଦୀରେ ବି ନିଶ୍ଚିହ୍ନ ହୋଇଯାଇଛି ନିର୍ମାଣାଧିନ ବ୍ରିଜ୍ । ଘୁ ଘୁ ଗର୍ଜନ କରି ବହୁଛି ନନ୍ଦାକିନୀ ନଦୀ । ଗୋଟିକ ପରେ ଗୋଟିଏ ଭୟାନକ ଦୃଶ୍ୟ ବୟାନ କରୁଛି, ଦେବଭୂମି ଉତରାଖଣ୍ଡରେ କିଭଳି କୋପ ଦେଖାଇଛି ଗତକାଲିର ବାଦଲଫଟା ବର୍ଷା । ଏହି ବର୍ଷାରେ ଅଦ୍ୟାବଧି ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି ।
ବଦ୍ରିନାଥ ହାେଇୱର ଲାମ୍ବାଡ଼ରେ ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଖସିଯାଇ ଗୋଟିଏ ସ୍ଥାନରେ ଫସିରହିଥିଲା । ବେଶ୍ କିଛି ସମୟର ସଂଘର୍ଷ ପରେ ଜେସିବି ସହାୟତାରେ ଉଦ୍ଧାର କରାଯିବାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଯାତ୍ରୀଙ୍କୁ ରକ୍ଷା କରାଯାଇ ପାରିଛି । ଚମୋଲୀ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀ ଫୁଲିବାରେ ଲାଗିଛି । ରାମନଗର-ରାନୀକ୍ଷେତ ରୁଟ୍ରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି । କୋଶି ନଦୀର ପାଣି ରିସର୍ଟକୁ ପଶି ଆସିଥିବାରୁ ଏହି ରୁଟ୍ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ଗତ ସୋମବାର ଏସ୍ଡିଆରଏଫ ଏବଂ ରାଜ୍ୟ ପୋଲିସ ଜଙ୍ଗଲ ଭିତରୁ ୨୨ରୁ ଅଧିକ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏମାନେ କେଦାରନାଥଙ୍କ ଦର୍ଶନ ପାଇଁ ଯାଉଥିଲେ । ରାଜ୍ୟର ସ୍ଥିତି ସଂପର୍କରେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୁଲା, ମୁନି-କି-ରେତି ଓ ଭଦ୍ରକାଳୀରେ ଯାତ୍ରା କଟକଣା ଲାଗୁ ହୋଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଆକାଶ ମାର୍ଗରୁ ସ୍ଥିତି ପରଖିଛନ୍ତି । ହିମାଚଳ ପ୍ରଦେଶରେ ବି ଦାଉ ସାଧୁଛି ପ୍ରକୃତି । ସେପଟେ କେରଳରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ବର୍ଷା ଥମି ନାହିଁ । ପୁଣି ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୦ଟି ଡ୍ୟାମ୍ ପାଇଁ ସରକାର ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି ।
