ଟ୍ରାନ୍ସପୋର୍ଟ କମ୍ପାନୀରେ ବିସ୍ଫୋରଣ : ୩ ମୃତ, ଉଦ୍ଧାରକାର୍ଯ୍ୟ ଜାରି
ବେଙ୍ଗାଲୁରୁ : ବେଙ୍ଗାଲୁରୁର ରୟାନ୍ ସର୍କଲ ଅଞ୍ଚଳରେ ଥିବା ଟ୍ରାନ୍ସପୋର୍ଟ କମ୍ପାନୀର ଏକ ଗୋଦାମ ଗୃହରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡି ନାହିଁ । ତେବେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରାନ୍ସପୋର୍ଟ ପକ୍ଷରୁ କିଛି ବିସ୍ଫୋରକ ସାମଗ୍ରୀ ଚାଲାଣ ହେଇଥିବା ବେଳେ ତାହା ବିସ୍ଫୋରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତରେ କେଉଁ କାରଣରୁ ବିସ୍ଫୋରଣ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ତଦନ୍ତ ପରିଷରଭୁକ୍ତ ଅଛି ।
ସୂଚନା ଯେ, ଉକ୍ତ ଟ୍ରାନ୍ସପୋର୍ଟ କମ୍ପାନୀରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଭିତରେ ଥିବା ଲୋକମାନେ ବାହାରକୁ ଆସିବା ସମ୍ଭବପର ହୋଇନଥିଲା । କିଛି ଲୋକ ବାହାରି ଆସିବାକୁ ସଫଳ ହୋଇଥିବା ବେଳେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଘଟଣାସ୍ଥଳରେ ୨ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିବା ସୂଚନା ମିଳିଛି ।
