ଖାଉଟିଙ୍କୁ ମହଙ୍ଗା ମାଡ଼ : ଘରୋଇ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ପିଛା ୧୫ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ୪ ମାସ ହେଲା ଲଗାତର ରୋଷେଇ ଗ୍ୟାସ ଦର ମହଙ୍ଗା ହୋଇଛି । ଫଳରେ ମାସ ଆରମ୍ଭରୁ ସାଧାରଣ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଏହା ପୂର୍ବରୁ ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା ।
ଭାରତରେ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦୁଇଟି ମୁଖ୍ୟ କାରଣ ହେଲା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ବୈଶ୍ୱିକ ସାଧାରଣ ମୂଲ୍ୟ। ଆଜିର ନୂତନ ମୂଲ୍ୟ ହେଉଛି ଗୋଟିଏ ମାସ ମଧ୍ୟରେ ‘ତୈଳ ବିପଣନ କମ୍ପାନି’ମାନେ କରିଥିବା ଦ୍ୱିତୀୟ ତଥା ଦୁଇ ମାସରୁ କମ୍ ସମୟ ମଧ୍ୟରେ ତୃତୀୟ ଦର ବୃଦ୍ଧି। ଦିଲ୍ଲୀରେ ଅଗଷ୍ଟ ୧୭ ତାରିଖରେ ୧୪.୨ କି.ଗ୍ରା. ସିଲିଣ୍ଡର୍ର ଦର ଟ. ୨୫/- ବୃଦ୍ଧି ପାଇ ଟ.୮୫୯.୫ରେ ପହଞ୍ଚିଥିଲା। ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି ।
