ପୁଣି ମହଙ୍ଗା ମାଡ଼ ! ବଢ଼ିଲା ସିମେଣ୍ଟ ଦର, ଜାଣନ୍ତୁ କେତେ
ନୂଆଦିଲ୍ଲୀ : ପୁଣି ମହଙ୍ଗା ମାଡ଼ । ତେଲ ତାତିରେ ଉତ୍ପାଦନ ଖର୍ଚ୍ଚରେ ବୃଦ୍ଧି ଯୋଗୁ ବିନିର୍ମାଣ କ୍ଷେତ୍ରରେ ପ୍ରାୟ ସବୁ ସାମଗ୍ରୀ ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହେଉଛି । ଚାହିଦା ନଥିବା ସତ୍ତ୍ୱେ ସିମେଣ୍ଟ ଦର ଲଗାତାର ବଢ଼ିବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ସିମେଣ୍ଟ ବ୍ୟାଗ୍ ପିଛା ମୂଲ୍ୟରେ ଆଉ ୨୦ ଟଙ୍କା ବୃଦ୍ଧି ହୋଇଛି। ଏ ନେଇ କମ୍ପାନୀମାନେ ଡିଲରଙ୍କୁ ପୂର୍ବରୁ ଅବଗତ କରିଥିବା ବେଳେ ନୂଆ ଦରରେ ବିଲିଂ କରିବା ଲାଗି ତାଗିଦ ମଧ୍ୟ କରିଛନ୍ତି।
ସିମେଣ୍ଟ ବ୍ୟାଗ୍ ପିଛା ଏବେ ୩୨୫ ଟଙ୍କାରେ ବିକ୍ରି ହେଉଛି। ଏଥିରେ ନୂଆ ଦର ଲାଗୁ ହେବା ପରେ ପ୍ରତି ବ୍ୟାଗ୍ ସିମେଣ୍ଟ ୩୪୫ଟଙ୍କା ହୋଇଯିବ। ବଜାରରେ ଏବେ ସିମେଣ୍ଟର ଆଦୌ ଚାହିଦା ନାହିଁ। ଏଥିରେ କମ୍ପାନୀମାନଙ୍କ ମୂଲ୍ୟ ବୃଦ୍ଧି ବେପାରୀଙ୍କ ଉପରେ ବେଡି ଉପରେ କୋରଡା ଭଳି ହୋଇଛି। କେବଳ ବ୍ୟବସାୟୀ ନୁହନ୍ତି ଗ୍ରାହକଙ୍କ ଉପରେ ମଧ୍ୟ ଏହି ମହଙ୍ଗାମାଡ଼ ପଡିବ। ଛୋଟମୋଟ ନିର୍ମାଣ କାମ ପାଇଁ ଅଳ୍ପ ସିମେଣ୍ଟ କିଣୁଥିବା ଲୋକଙ୍କୁ ଏବେ ବର୍ଦ୍ଧିତ ମୂଲ୍ୟରେ ସିମେଣ୍ଟ କିଣିବାକୁ ହେବ। ଅନ୍ୟପଟେ ନିର୍ମାଣ ବଜାରରେ ଏବେ ଛଡ ଦର ସ୍ଥିର ରହିଛି। ଏବେ ଖୁଚୁରା ବଜାରରେ ଛଡ ପ୍ରତିଟନ ୭୪ ହଜାର ଟଙ୍କାରେ କାରବାର ହେଉଛି। କାରଖାନାରୁ ବାହାରୁ ଥିବା ଛଡର ଦର ମଧ୍ୟ ସ୍ଥିର ରହିଛି। ଏବେ କାରଖାନାରୁ ଛଡ ଟନ୍ ପ୍ରତି ୭୧ ହଜାର ଟଙ୍କାରେ ବାହାରୁଥିବା ବେଳେ ବଜାରରେ କିଣାବିକା ଦର ୭୪ ହଜାର ରହିଛି।
