ପରଲୋକରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ
ଭୁବନେଶ୍ୱର : ପରଲୋକରେ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ନିଜର ରାଜନୈତିକ ଜୀବନରେ ସେ କଟକ ଏବଂ ବ୍ରହ୍ମପୁର ଲୋକସଭା ଆସନର ସଂସଦକୁ ନିର୍ବାଚିତ ହୋଇଥିଲେ। କେବଳ ସାଂସଦ ନୁହେଁ ଜାତୀୟ ମହିଳା ଆୟୋଗର ପ୍ରଥମ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ମୃତ୍ୟୁରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକ ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ସାଂସଦ ମଧ୍ୟ ରହିଥିଲେ। ୧୯୮୧ ମସିହାରେ ସେ କଟକ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବାଜିମାତ କରିଥିଲେ। ଏହା ପରେ ସେହି କଟକ ଆସନରୁ ୧୯୮୪ ନିର୍ବାଚନରେ ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୯୮ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଜଣେ ରାଜନେତ୍ରୀ ସହିତ ଏକାଧାରରେ ଜଣେ ସାହିତ୍ୟିକା, ଅନୁବାଦିକା ସହ ଜଣେ ଭଲ ବକ୍ତା ରହିଥିଲେ ପୂର୍ବତନ ସାଂସଦ। ୧୯୩୨ ମସିହା ଏପ୍ରିଲ ୭ ତାରିଖରେ ଗଞ୍ଜାମ ଆସ୍କା ଠାରେ ଜନ୍ମଗ୍ରହଣ କରିଥିଲେ ଜୟନ୍ତୀ ପଟ୍ଟନାୟକ। ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ କରିବା ପରେ ସେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଏବଂ ବମ୍ବେ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ୍ ସାଇନ୍ସ ଠାରେ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ ପୂର୍ବତନ ସାଂସଦ।
୧୯୫୩ ମସିହାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ ଜୟନ୍ତୀ ପଟ୍ଟନାୟକ। ନିଜର ରାଜନୈତିକ ଜୀବନରେ ସେ ପ୍ରଥମ ଓଡିଆ ଭାବେ ୧୯୮୭ ମସିହାରେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ସଭାପତି ପଦ ଅଳଙ୍କୃତ କରିଥିଲେ। ଏହା ପରେ ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ପ୍ରଥମ ଓଡିଆ ଭାବେ ନବଗଠିତ ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ହୋଇଥଲେ। ଏହି ପଦରେ ରହିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।
