ଅସ୍ତ୍ରବିରତି ପରେ ବି ରୁଷ୍ ସେନାର ଆକ୍ରମଣ, ୧୭ ମୃତ
ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ଆଜି ୧୩ ଦିନରେ ପହଞ୍ଚିଛି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭରେ ରୁଷ୍ ପ୍ରଥମଥର ପାଇଁ ଯୁଦ୍ଧବିରତି ଘୋଷଣା କରିଛି। ଋଷ କିଭ୍ ସହ ୟୁକ୍ରେନର ଆଉ ୩ଟି ସହରରେ ମଧ୍ୟ ଯୁଦ୍ଧ ବିରତି ଘୋଷଣା କରିଛି। କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଛି। ରୁଷ୍ ୪ ସହରରେ ଯୁଦ୍ଧ ବିରତି ଘୋଷଣା କରିଥିଲେ ସୁଦ୍ଧା ଉଦ୍ଧାର ପଥରେ ହିଁ ଆକ୍ରମଣ ଜାରି ରହିଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। କିଭରେ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ବେଳେ ଏକ କ୍ରସିଂ ପଏଣ୍ଟରେ ରୁଷ୍ ସେନାର ଆକ୍ରମଣ ଯୋଗୁଁ ୨ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦ୍ରୀୟ ୟୁକ୍ରେନ୍ର ବିନିସ୍ତିଆ ବିମାନବନ୍ଦରରେ ରୁଷ୍ର ବିମାନ ଆକ୍ରମଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ନାଗରିକ ଏବଂ ୫ ଜଣ ସୈନିକ ଅଛନ୍ତି।
ସୂଚନା ଯେ, ରବିବାର ଦିନ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ ୮ଟି ରକେଟ୍ ବିନିସ୍ତିଆ ବିମାନବନ୍ଦରରେ ମାଡ଼ ହୋଇଛି। ଏହି ଘଟଣା ପରେ ଜେଲେନ୍ସ୍କି ୟୁକ୍ରେନ୍କୁ ନୋ-ଫ୍ଲାଏ୍ ଜୋନ୍ ଘୋଷଣା ପାଇଁ ବିଦେଶ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷେ ଖାରକିଭରେ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରି ରୁଷ୍ ଲଗାତାର ଗୁଳିଗୋଳା ମାଡ଼ କରିଥିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ସହରର କେନ୍ଦ୍ରୀୟ ଅଞ୍ଚଳରେ ୨୧ଟି କୋଠାକୁ ଟାର୍ଗେଟ୍ କରି ରୁଷ୍ ଭୟଙ୍କର ଗୁଳିମାଡ଼ କରୁଥିବା ସୂଚନା ମିଳିଛି ।
