ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଦୁଇଦିନ ଲାଗି ରହିବ ବର୍ଷା
ଭୁବନେଶ୍ୱର : ବଙ୍ଗୋପସାଗରରେ ସ୍ୱରସ୍ୱତୀ ହୋଇଥିବା ଘୂର୍ଣ୍ଣିବଳୟ ବଳ ଜୁଟାଉଛି । ଆଜି ଏହା ଲଘୁଚାପ ରୂପ ନେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆସନ୍ତା ଦୁଇଦିନ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ଲାଗି ରହିବ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ଆସନ୍ତା ଦୁଇଦିନ ସମୁଦ୍ର ଅଶାନ୍ତ ରହିବା ସହ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।
ପାଣିପାଗ ବିଭାଗର ଆକଳନ ହେଲା, ସୋମବାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଜିଲ୍ଲାର ଗୋଟିଏ ବି ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ସମ୍ଭାବନା ଅଛି । ସେହିପରି ମଙ୍ଗଳବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି । ବୁଧବାରଠାରୁ ବର୍ଷା କମିବ । ତେବେ ୧୧ କିମ୍ବା ୧୨ ତାରିଖବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହି ଲଘୁଚାପ ହେଲେ ପୁଣି ବର୍ଷା ବଢ଼ିବ । ସୂଚନା ଯେ, ରାଜ୍ୟରେ ଜୁନ୍ ୧ରୁ ଆଜି ସୁଦ୍ଧା ୬୮୧.୯ ମିଲିମିଟର ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୩୦% କମ୍ । କଟକ, ଖୋର୍ଦ୍ଧା, ଜଗତସିଂହପୁର, ମାଲକାନଗିରି, କୋରାପୁଟକୁ ବାଦ୍ ଦେଲେ ବାକି ୨୫ ଜିଲ୍ଲାରେ ବର୍ଷା କମ୍ ରହିଛି । ଦୁଇଟି ସମ୍ଭାବ୍ୟ ଲଘୁଚାପ ହେଲେ ବର୍ଷା ଅଭାବ କେତେକାଂଶରେ ଭରଣା ହେବ । ଏହାସତ୍ତେ୍ୱ ବି ବହୁ ବିଳମ୍ବ ହୋଇସାରିଥିବାରୁ ଚାଷ ସ୍ଥିତିରେ ବିଶେଷ ସୁଧାର ଆସିବା ସମ୍ଭାବନା କମ୍ ।
