ଦୀର୍ଘ ପ୍ରତିକ୍ଷାର ଅନ୍ତ : ଆଜି ଠାରୁ ଶ୍ରେଣୀଗୃହରେ ପାଠ ପଢିବେ ଏକାଦଶ ଛାତ୍ରଛାତ୍ରୀ
- ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏଁ କ୍ଲାସ
ଭୁବନେଶ୍ୱର : ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ। ଏହିପରିପ୍ରେକ୍ଷୀରେ ଆଜି ଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏଁ ପାଠପଢ଼ା ଅନୁଷ୍ଠିତ ହେବ । କ୍ୟାମ୍ପସ ଗୁଡିକରେ ବିଶୋଧନ କରାଯାଇଛି। ବିଶେଷକରି କରୋନାକୁ ନଜରରେ ରଖି ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯିବ। ସରକାରଙ୍କ କୋଭିଡ୍ କଟକଣା ସହ ପିଲା ମାନଙ୍କର କ୍ଲାସ ଚାଲିବ ଓ ହଷ୍ଟେଲ ପରିଚାଳନା ହେବ।
ଗାଇଡଲାଇନ୍ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନର ବ୍ୟବସ୍ଥା ହେବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍ ରୁମକୁ ପ୍ରବେଶ କରିବେ। ସୂଚନା ଯେ, କୋଭିଡ୍ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହୁଥିଲେ ।ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ କ୍ଲାସ ଆରମ୍ଭ ହୋଇଥିଲା। ମାତ୍ର ନେଟ୍ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍ ଫୋନ୍ ନଥିବାରୁ ବହୁ ପିଲା ଅନ୍ଲାଇନ୍ କ୍ଲାସରୁ ବଞ୍ଚିତ ହେଉଥିଲେ। ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି। ସେହିପରି ହଷ୍ଟେଲଗୁଡ଼ିକରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନିୟମିତ ଭାବେ ବିଶୋଧନ କରିବାକୁ କୁହାଯାଇଛି। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ପ୍ରକାର ଉଠାଦୋକାନୀ କ୍ୟାମ୍ପସ ଭିତରେ ଯେପରି ସାମଗ୍ରୀ ବିକ୍ରି ନ କରନ୍ତି ସେଥିପ୍ରତି କର୍ତୃପକ୍ଷ ପ୍ରାଥମିକତା ଦେବେ। ବିଶେଷକରି କ୍ୟାମ୍ପସର ମୁଖ୍ୟ ଫାଟକଠାରୁ ୧୦୦ ମିଟର ବିକ୍ରି ନ କରିବାକୁ କୁହାଯାଇଛି। ଏସ୍ଟି ଓ ଏସ୍ସି ଉନ୍ନୟନ ବିଭାଗ, ପଛୁଆ ବର୍ଗ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟଗୁଡ଼ିକର କ୍ଲାସ ମଧ୍ୟ ଗଣଶିକ୍ଷା ବିଭାଗ ଗାଇଡ୍ଲାଇନ୍ ଅନୁଯାୟୀ ଖୋଲିବ।
