ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ପାଇଁ ୧୧ ଜିଲାକୁ ବିପଦ ଆଶଙ୍କା, ଏହି ସବୁ ଜିଲା ସାମିଲ ରହିଛି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡିପ୍ରେସନ ବାତ୍ୟାର ରୂପ ନେବା ପରେ ରବିବାର ସଂଧ୍ୟାରେ ସ୍ଥଳ ଭାଗ ଛୁଇଁବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି । ଏହା କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଗତି କରିବାର ଆଶଙ୍କା ଥିବାରୁ ଏହାର ପ୍ରଭାବରେ ଓଡ଼ିଶାର ୧୧ଟି ଜିଲା ପ୍ରତି ବିପଦ ଦେଖାଦେଇଛି। ଏସବୁ ଜିଲାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୯୫କିମି ପର୍ଯ୍ୟନ୍ତ ପବନ ବୋହିବାର ଆଶଙ୍କା ରହିଛି। କଚ୍ଚା ଘର ଓ କାନ୍ଥ ଭୁଷୁଡ଼ିବା, ଗଛ ଭାଙ୍ଗିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଫସଲ ନଷ୍ଟ ଓ ଯାତାୟତ ପ୍ରଭାବିତ ହେବ । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ, ବାତ୍ୟା ‘ଗୁଲାବ’ ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବର ୩୭୦କିମି ଓ କଳିଙ୍ଗପଟ୍ଟନମର ୪୪୦କିମି ପୂର୍ବରେ ବଙ୍ଗୋପାସାଗରରେ ରହିଛି । ଏହା ଘଣ୍ଟା ପ୍ରତି ୭କିମି ବେଗରେ ଗତି କରୁଛି। ଏହା ୨୬ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ଗଞ୍ଜାମ, ଗଜପତି ଓ ପୁରୀ, କୋରାପୁଟ, ମାଲକାନଗିରି,ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବୋହିବାର ଆଶଙ୍କା ରହିଛି । ଏଥିପାଇଁ ଏସବୁ ଜିଲାର ଲୋକମାନଙ୍କୁ ପାହାଡ଼ିଆ ଅଂଚଳରେ ଥିବା ଗୁମ୍ପା ଓ ସମ୍ବେଦନଶୀଳ ସ୍ଥାନରେ ଆଶ୍ରୟ ନନେବା ପାଇଁ ପରାମର୍ଶ ଦିଆଯାଇଛି । ଏସବୁ ଜିଲାରେ ମାଟି ରାସ୍ତା ଓ କାନ୍ଥ ଭୁଷୁଡ଼ିବା ସହ, ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ସହରାଂଚଳରେ ଜଳ ନିଷ୍କାସନରେ ସମସ୍ୟା, ଫସଲ ନଷ୍ଟ, ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ଓ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଭଳି ସମସ୍ୟା ଉପୁଜିପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଏହାସହିତ ଅନ୍ୟ ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ତଳିଆ ଅଂଚଳରେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା, ମାଟି ରାସ୍ତା ଧୋଇଯିବା, କାନ୍ଥ ଭୁଷୁଡ଼ିବା, ସହରଗୁଡ଼ିକରେ ଜଳ ନିଷ୍କାସନରେ ସମସ୍ୟା ସହ ନଦୀର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହି ସମସ୍ତ ୧୧ଟି ଜିଲ୍ଲାରେ ଯାତାୟତବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ସତର୍କ ସୂଚନା ଲାଗୁ କରାଯାଇଥିବାବେଳେ ଗୋପାଳପୁର ବନ୍ଦରରେ ୪ ନମ୍ବର ସତର୍କ ସୂଚନା ଦିଆଯାଇଛି । ବାତ୍ୟା ଯୋଗୁ ଗଞ୍ଜାମ ଜିଲ୍ଲାର ତଳିଆ ଅଂଚଳରେ ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି ।
ସେହିପରି ବାତ୍ୟା ପ୍ରଭାବରେ ଓଡ଼ିଶାରେ ଘଣ୍ଟା ପ୍ରତି ୮୦ରୁ ୯୫କିମି ପର୍ଯ୍ୟନ୍ତ ପବନ ବୋହିବା ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୯୫କିମି ବେଗରେ ପବନ ବୋହିବାର ଥିବାବେଳେ ପୁରୀ, ଖୋର୍ଦ୍ଧା, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଣ୍ଟାପ୍ରତି ୭୫କିମି ପର୍ଯ୍ୟନ୍ତ ପଦବ, ନବରଙ୍ଗପୁର ଓ ମାଲକାନଗିରିରେ ୭୦କିମି ପର୍ଯ୍ୟନ୍ତ ପବନ ବୋହିବାର ସମ୍ଭାବନା ରହିଛି । ଓଡ଼ିଶା ଉପକୂଳରେ ୨୭ତାରିଖରେ ପବନର ବେଗ ପ୍ରାୟ ୬୦କିମି ରହିବ । ଏପଟେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ୪୨ଟି ଓଡ୍ରାଫ ଟିମ, ୨୪ଟି ଏନଡିଆରଏଫ ଟିମ ଓ ୧୦୨ଟି ଅଗ୍ନିଶମ ବାହିନୀ ଟିମକୁ ଦକ୍ଷିଣ ଓଡ଼ିଶାର ୭ଟି ଜିଲାରେ ମୁତୟନ କରାଯାଇଛି । ଭାରତୀ ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରବିବାର ଓ ସୋମବାର ଦୁଇଦିନ ଧରି ହେବ ବୋଲି ପୂର୍ବାନୁମାନ କରିଛନ୍ତି । ତେଣୁ ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରା ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି ତଥା ଗଜପତି ଓ ରାୟଗଡ଼ା ଜିଲାରେ ଛୋଟଛୋଟ ଗଛ ଉପୁଡ଼ିବା ସହ ଭୂସ୍ଖଳନର ଆଶଙ୍କା ଅଛି । ୨୦୧୮ ମସିହାରେ ତିତିଲି ବାତ୍ୟା ସମୟରେ ଗଜପତି ଜିଲାରେ ଭୂସ୍ଖଳନ ହୋଇଥିଲା । ତେଣୁ ଗଜପତି ଓ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଅତିକ୍ରମ କରିବାକୁ ଥିବା ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ୱର ଆଦି ଜିଲାରେ ବି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସବୁ ଜିଲାରେ ୱେଲୋ ଓାର୍ଣ୍ଣିଂ ଜାରି ହୋଇଛି ।
