ହାତୀପଲଙ୍କ ଉପଦ୍ରବ : ଭାଙ୍ଗିଲେ ଘର, ଲୋକେ ଆତଙ୍କିତ
ବଲାଙ୍ଗିର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜର ଗନ୍ଧମାର୍ଦ୍ଦନ ପାହାଡ ତଳି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଶନିବାର ବିଳମ୍ବିତ ରାତିରେ ତିନୋଟି ଗାଁରେ ପଶି ୩ଟି ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ଘରେ ଥିବା ଲୋକେ ଅଳ୍ପକେ ବର୍ତି ଯାଇଥିବା ବେଳେ ସମସ୍ତ ଧାନ ଚାଉଳ ହାତୀମାନେ ଖାଇଦେଇଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ ଏକ ହାତୀ ପଲ ପ୍ରଥମେ ବ୍ରାହ୍ମଣୀ ଗାଁରେ ଥିବା ଏକ ଘରକୁ ଭାଙ୍ଗି ଦେଇଥିଲେ। ଏହାପରେ ସେମାନେ ଗାଁର ମୀନିକେତନ ସିପକା ଏବଂ ତାଙ୍କ ସ୍ତ୍ରୀ ମଦନା ସିପକାଙ୍କ ଘରର କାନ୍ଥ ଭାଙ୍ଗି ଦେଇଥିଲେ । ସେମାନେ ଭୟରେ ଖଟ ତଳେ ଲୁଚି ଯାଇଥିଲେ । ହାତୀମାନେ ଧାନ ଚାଉଳ ଖାଇ ଚାଲିଯାଇଥିଲେ । ପରେ ନାନ୍ଦୁପଲା ପଂଚାୟତ ଛଂଚାଣ ବାହାଲି ଗାଁର ଲଳିତ ବରିହାଙ୍କ ଘରକୁ ଆସି ଗୋଟିଏ କାନ୍ଥ ଭାଙ୍ଗି ଘରେ ଥିବା ୨ ବସ୍ତା ଧାନ ଓ ଚାଉଳ ଖାଇଦେଇଥିଲେ । ସେଠାରେ ମଧ୍ୟ ଲଳିତ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତି ଯାଇଥିଲେ । ଏହା ପରେ ଗନ୍ଧମାର୍ଦ୍ଦନ ପାହାଡ ତଳି ଅଂଚଳରେ ହାତୀ ଭୟ ଦେଖାଦେଇଥିବା ବେଳେ ଜଙ୍ଗଲ ବିଭାଗ ପହଂଚି କ୍ଷୟକ୍ଷତି ଆକଳନ କରିଛି । ଏ ନେଇ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମୁରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୩ଟି ଗାଁରେ ହାତୀ କିଛି ଘର ଭାଙ୍ଗି ଦେଇଛନ୍ତି । ହାତୀର ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଘଉଡାଇବାକୁ ଉଦ୍ୟମ ଜାରି ରହିଛି ।
