ନୀଳଗିରି ଟ୍ରକ୍ ମାଲିକ ସଂଘର ନିର୍ବାଚନ : ସଭାପତି ଶିଶିର, ସମ୍ପାଦକ ମାନସ
ନୀଳଗିରି : ନୀଳଗିରି ଟ୍ରକ୍ ମାଲିକ ସଂଘର କାର୍ଯ୍ୟାଳୟ ଠାରେ ବିଭିନ୍ନ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଫିସର ଆଇନଜୀବୀ କିଶୋର କୁମାର ଦାସ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ । ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆରମ୍ଭ ହୋଥିଲା । ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା । ପ୍ରିଜାଇଡ଼ିଂ ଅଫିସର ଭାବେ ଆଇନଜୀବୀ ଦେବାନନ୍ଦ ଦାସ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ଶେଷ କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ ସଭାପତି ପଦ ପାଇଁ ଶିଶିର କୁମାର ରାଉତ, ଉପସଭାପତି ଭାବେ ନିହାର ରଞ୍ଜନ ମହାପାତ୍ର, ସମ୍ପାଦକ ଭାବେ ମାନସ ରଞ୍ଜନ ମଲ୍ଲିକ, ସହ-ସମ୍ପାଦକ ଭାବେ ଅଶୋକ କୁମାର ଦାସ ଏବଂ କୋଷାଧ୍ୟକ୍ଷ ଭାବେ ନିତ୍ୟାନନ୍ଦ ପୃଷ୍ଟି ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରାର୍ଥୀଙ୍କ ବିରୋଧରେ ଅନ୍ୟ କେହି ନାମାଙ୍କନ ପତ୍ର ଦାଖଲ କରି ନଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।
ସେହିପରି ଉପଦେଷ୍ଟା ଭାବେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଥିବା ବେଳେ ୧୪ଜଣ ପୂର୍ବ ସଭ୍ୟ ଚୟନ ସହ ମୋଟ ୧୯ ଜଣ ସଭ୍ୟ ଟ୍ରକ୍ ମାଲିକ ସଂଘର ସାମିଲ ହୋଇଛନ୍ତି । ଏହି ଟ୍ରକ ମାଲିକ ସଂଘର ମୋଟ ପଞ୍ଜିକୃତ ସଭ୍ୟ ୧୨୬ଜଣ ରହିଛନ୍ତି । ଫଳାଫଳ ଘୋଷଣା ହେବା ପରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଯାଇଥିଲା ।
