ନବରାତ୍ରୀର ଅଷ୍ଟମ ଦିନ! ଆଜି ମା’ଙ୍କ ମହାଗୌରୀ ବେଶ, ଜାଣି ରଖନ୍ତୁ ଶୁଭ ମୂହୁର୍ତ୍ତ, ପୂଜାବିଧି ଓ ନୀତି ନିୟମ
ନବରାତ୍ରୀର ଅଷ୍ଟମ ଦିନରେ ମାଆ ଦୁର୍ଗାଙ୍କୁ ମହାଗୌରୀ ରୂପରେ ପୂଜା କରାଯାଏ । ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି। ଏବଂ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ତେବେ, ନବରାତ୍ରୀରେ ଘରେ ମା ମହାଗୌରୀଙ୍କ ପୂଜା କିପରି କରିବେ । ଜାଣି ରଖନ୍ତୁ ପୂଜାର ନୀତି ନିୟମ ଓ ଶୁଭ ସମୟ ।
ଏହିଦିନ ଆପଣ ନିଜ ଘରକୁ ଗଙ୍ଗା ଜଳରେ ପ୍ରଥମେ ସୁଦ୍ଧ କରି ଦିଅନ୍ତୁ । ବ୍ରତଧାରୀମାନେ ସ୍ନାନ କରିବା ପରେ ଗାଢ ସବୁଜ ରଙ୍ଗର ପୋଷାକ ପରିଧାନ କରନ୍ତୁ । କାରଣ ଏହିଦିନ ଆପଣ ଗାଢ ରଙ୍ଗର ସବୁଜ ବସ୍ତ୍ର ପରିଧାନ ଶୁଭ ବୋଲି କୁହାଯାଏ । ପୂଜାର ଶୁଭ ସମୟ ଅକ୍ଟୋବର ୨ ତାରିଖ ସନ୍ଧ୍ୟା ୬.୪୭ ରୁ ପରଦିନ ଅପରାହ୍ନ ୪.୩୭ ପର୍ଯ୍ୟନ୍ତୁ ଶୁଭ ସମୟ ରହିଛି । ଏହିଦିନ ଆପଣ ଘରେ ପୂଜା କରୁଥିବା ଦୁର୍ଗାଙ୍କ ଫଟୋ କି ମହାଗୌରୀ ଫଟୋରେ ପ୍ରଥମେ ଗଙ୍ଗା ଜଳ ଛିଞ୍ଚନ କରନ୍ତୁ । ପରେ ମାଙ୍କୁ କୁଙ୍କମ ଓ ଶୃଙ୍ଗାରରେ ସଜେଇ ଦିଅନ୍ତୁ । ଷୋଡ଼ଶ ଉପଚାର ବିଧାନ ପରେ ମାତାଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ। ଏହି ଦିନ ମା’ଙ୍କୁ ହାଲୁୱା, ପୁରୀ, ପନିପରିବା, ବିରି ଏବଂ ନଡ଼ିଆରେ ପ୍ରସ୍ତୁତ ପ୍ରସାଦ ଅର୍ପଣ କରାଯାଏ। ଅଷ୍ଟମ ଦିନରେ ଦୁର୍ଗା ସପ୍ତଶତୀ ମଧ୍ୟମ ଚରିତ୍ର ପାଠ କରାଯାଏ। ଏହାପରେ ଏହି ପ୍ରସାଦକୁ ବାଳିକା ମାନଙ୍କୁ ପ୍ରଥମେ ଦେଇ ତା ପରେ ସମସ୍ତେ ଭୋଜନ କରିବା ବିଧେୟ। ଏହା ଶୁଭ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ କରାଯାଏ।
ନବରାତ୍ରୀର ଅଷ୍ଟମୀ ତିଥିରେ ମା’ ଦୁର୍ଗା ‘ମହାଗୌରୀ’ ରୂପରେ ପୂଜା ପାଆନ୍ତି। ମା’ଙ୍କ ଏହି ‘ମହାଗୌରୀ’ ରୂପ ଧାରଣ ସମ୍ପର୍କରେ ଦେବୀ ପୁରାଣରେ ସୁନ୍ଦର ବର୍ଣ୍ଣନା ରହିଛି। ପୁରାଣ କଥା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା’ ପାର୍ବତୀ କଠୋର ତପସ୍ୟା କରିଥିଲେ। ଅନ୍ନ, ଜଳ ତ୍ୟାଗକରି ସାଧନା କରିବା ଫଳରେ ତାଙ୍କ ଶରୀରର ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା। ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା’ ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁନର୍ବାର ତପସ୍ୟା କରିଥିଲେ।ଏହି ତପସ୍ୟା ପରେ ମା’ଙ୍କ ଶରୀରରୁ କଳାବର୍ଣ୍ଣ ଚାଲି ଯାଇଥିଲା । ମା’ ସଂପୂର୍ଣ୍ଣ ଗୌର ବର୍ଣ୍ଣ ଧାରଣ କରିଥିଲେ। ସେଥିପାଇଁ ମା’ଙ୍କ ଅନ୍ୟନାମ ‘ମହାଗୌରୀ’।ଅନ୍ୟଏକ ତଥ୍ୟ ଆଧାରରେ ଏହି ‘ମହାଗୌରୀ’ ରୂପ ମା’ଙ୍କ ବିଭିନ୍ନ ଦିବ୍ୟ ରୂପ ମଧ୍ୟରୁ ଏକ ରୂପ। ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ମା’ ରଚିଥିବା ଲୀଳା ମଧ୍ୟରେ ଏହି ‘ମହାଗୌରୀ’ ରୂପ ଅନ୍ୟତମ। ମା’ ଦୁର୍ଗାଙ୍କ ଏହି ‘ମହାଗୌରୀ’ ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ। ମା’ଙ୍କୁ ଏହି ରୂପରେ ପୂଜା କରିବା ଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ପାଇଥାଏ।
