ଋଷ୍-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ! ଓଡ଼ିଶାରେ ୪୦ରୁ ୬୦ ଟଙ୍କା ବଢ଼ିଲାଣି ଖାଇବା ତେଲ, ଚିନ୍ତାରେ ଖାଉଟି
ଭୁବନେଶ୍ୱର : ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ଯୁଦ୍ଧର ପ୍ରଭାବ ପରିଲକ୍ଷିତ ହୋଇଛି । ବିଶେଷ କରି ଖାଇବା ତେଲ ଦର ଉପରେ ଯୁଦ୍ଧ ମାଡ଼ ପଡ଼ି ଧିରେ ଧିରେ ଦର ବଢ଼ି ଚାଲିଛି । ଅନ୍ୟପକ୍ଷରେ କିନ୍ତୁ କିଛି ମହଜୁଦକାରୀ କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବାରୁ ଖାଇବା ତେଲର ଦର ବଢୁଥିବା ନେଇ ଚର୍ଚ୍ଚା ହେଉଛି । ଏନେଇ ଯୋଗାଣ ବିଭାଗ ମହଜୁଦକାରୀଙ୍କ ଉପରେ ନଜର ରଖିବା ଲାଗି ଶକ୍ତ ନିର୍ଦ୍ଦେଶ ଦେଇଥିବା ସତ୍ୱେ ଏହାର ପ୍ରଭାବ କିନ୍ତୁ ପଡୁନାହିଁ ବରଂ ଦୋକାନୀଙ୍କ ମୁହଁରୁ ଶୁଣିବାକୁ ମିଳୁଛି- ଯୁଦ୍ଧ ପାଇଁ ସପ୍ଲାଏ ବନ୍ଦ ହେଲାଣି ।
କେଉଁଥି ପାଇଁ ବଜାରରେ ତେଲ ଦର ବଢ଼ିଲା କଣ ସତରେ ୟୁକ୍ରେନ ଯୁଦ୍ଧ ପାଇଁ ସପ୍ଲାଏ ବନ୍ଦ ହୋଇଗଲାଣି ସୂର୍ଯ୍ୟମୁଖୀ ତେଲର ଦର ବଢ଼ିଲା, ନା ମହଜୁଦକାରୀ ଯୁଦ୍ଧ ନାଁରେ ପାରି ହେଉଛନ୍ତି ଆଉ ମାଲ ଚାପି ଦେଇଛନ୍ତି ଏମିତି ଅନେକ ପ୍ରଶ୍ନ ଉଠିଛି । ଖାଇବା ତେଲର ମୂଲ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କେତେକ ଡିଲର କହିଛନ୍ତି ଯେ ତେଲ ପ୍ୟାକେଟରେ ସର୍ବାଧିକ ଖୁଚୁରା ମୂଲ୍ୟ ବା ଏମଆରପି ଅପରିବର୍ତିତ ରହିଛି । କିନ୍ତୁ ପ୍ରତି ପ୍ୟାକେଟ ପିଛା ୧୫ ରୁ ୨୦ ଟଙ୍କା ଅଧିକାରେ ସେମାନେ କିଣୁଛନ୍ତି । ତେଣୁ ନିଜ ଲାଭ କମ କରି ସେମାନେ ଖୁଚୁରାରେ ବିକ୍ରି କରିଛନ୍ତି । ଖୁଚୁରା ଦୋକାନରେ ଏହାର ଦର ସେହି ଅନୁସାରେ ବୃଦ୍ଧି ପାଇଛି । ଗତ ସପ୍ତାହରେ ହୋଲସେଲ ମୂଲ୍ୟରେ ବୃଦ୍ଧି ହେତୁ ଅନେକ ରନ୍ଧନ ତେଲ କ୍ରୟ ବନ୍ଦ କରି ଦେଇଛନ୍ତି । ତେଣୁ ଆଗକୁ ବଜାରରେ ଏହାର ଅଭାବ ଦେଖାଦେବାର ସଙ୍କେତ ମିଳିଲାଣି । ଗତ ସପ୍ତାହରେ ସୂର୍ଯ୍ୟମୁଖୀ ଏବଂ ପାମ୍ ତେଲର ମୂଲ୍ୟ ଯଥାକ୍ରମେ ୪୦ ଏବଂ ୬୦ ଟଙ୍କା ବୃଦ୍ଧି ପାଇଛି ।
ଓଡ଼ିଶାରେ କୌଣସି ଖାଇବା ତେଲ ଉତ୍ପାଦନ ହେଉ ନଥିବାବେଳେ ପ୍ରତ୍ୟେକ ଦିନ ବ୍ୟବହାର ୧,୫୦୦ ରୁ ୨,୦୦୦ ଟନ୍ ତେଲ ଖର୍ଚ୍ଚ ହେଉଛି । ଏପରିକି ଅନେକ ପରିବାର ଆଗୁଆ ଖାଇବା ତେଲ ଷ୍ଟକ୍ କରିବା ଆରମ୍ଭ କଲେଣି । ପ୍ରତି ପରିବାର ଯଦି ଗୋଟିଏ ଲିଟର ଅଧିକ କିଣନ୍ତି ଏହାର ପ୍ରଭାବ କେତେ ପରିମାଣରେ ବଜାର ଉପରେ ପଡ଼ିବ ଅନୁମାନ କରନ୍ତୁ । ପୂର୍ବରୁ ବ୍ରାଣ୍ଡେଡ୍ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଗତ ସପ୍ତାହ ପର୍ଯ୍ୟନ୍ତ ଲିଟର ପିଛା ୧୩୦ ଟଙ୍କାଥିବା ବେଳେ ଏବେ କିଛି ସ୍ଥାନରେ ଲିଟର ପିଛା ୧୭୫ ଟଙ୍କା ହୋଇଛି । ଗତ ସପ୍ତାହରେ ପାମୋଲିନ ତେଲ ଲିଟର ପିଛା ୧୨୨ ଟଙ୍କା ଥିବା ବେଳେ ଏବେ ଏହା ୧୫୬ ମାରିଲାଣି । ଯେତେବେଳେକି ରୁଷ ବା ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆସିଥାଏ କିନ୍ତୁ ପାମ ତେଲ ମାଲେସିଆରୁ ଆସିଥାଏ ।
