ଓମିକ୍ରନ ବିରୁଦ୍ଧରେ ସ୍ପୁଟନିକ ଭି ଟିକା ଏବଂ ସ୍ପୁଟନିକ ଲାଇଟ ବୁଷ୍ଟର ପ୍ରଭାବଶାଳୀ : ଅଧ୍ୟୟନ
ନୂଆଦିଲ୍ଲୀ : ଓମିକ୍ରନ ବିରୁଦ୍ଧରେ ସ୍ପୁଟନିକ ଭି ଟିକା ଏବଂ ସ୍ପୁଟନିକ ଲାଇଟ ବୁଷ୍ଟର ପ୍ରଭାବଶାଳୀ । ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ ) ଗାମାଲିଆ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ ପ୍ରାରମ୍ଭିକ ଲାବୋରେଟୋରୀ ଅଧ୍ୟୟନରୁ ଏହା ଜଣାପଡିଥିବା କହିଛି ।
ହେଟେରୋଲୋଜିସ୍ ବୁଷ୍ଟିଂ ସହିତ ସ୍ପୁଟନିକ୍ ଲାଇଟ୍ ଓମିକ୍ରନ୍ ସମେତ ଅନ୍ୟାନ୍ୟ ଟୀକାକରଣର ଦକ୍ଷତା ବୃଦ୍ଧି ଏବଂ ବୁଷ୍ଟର୍ ସୁରକ୍ଷା ଅବଧି ବୃଦ୍ଧି କରିବାର ଏକ ସମାଧାନ ବୋଲି ଆରଡିଆଇଏଫ ଏକ ବିବୃତ୍ତିରେ କହିଛି । ସ୍ପୁଟନିକ୍ ଲାଇଟ୍ ଏକ ବୁଷ୍ଟର୍ ଭାବରେ ଓମିକ୍ରନ୍ ଭାଇରସ ବିରୁଦ୍ଧରେ କାମ କରିବା ସହ ୨-୩ ମାସ ମଧ୍ୟରେ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଅନ୍ୟ ଟୀକାକରଣ ପାଇଁ ଶକ୍ତିଶାଳୀ ଆଣ୍ଟିବଡି ଏବଂ ଟି-ସେଲ୍ ପ୍ରତିକ୍ରିୟା ସୃଷ୍ଟି କରିଥାଏ ବୋଲି କୁହାଯାଇଛି ।
ଓମିକ୍ରନ୍ ବିରୁଦ୍ଧରେ ଟୀକାକରଣର ପ୍ରଭାବକୁ ମଜବୁତ କରିବା ପାଇଁ ସ୍ପୁଟନିକ୍ ଲାଇଟ୍ ବୁଷ୍ଟରକୁ ସୁପାରିଶ କରାଯାଇଥିବା ଆରଡିଆଇଏଫ କହିଛି । ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ବିରୁଦ୍ଧରେ ଦିଆଯାଉଥିବା ଅନ୍ୟ ଟିକାଗୁଡିକୁ ସ୍ପୁଟନିକ୍ ଲାଇଟ୍ ବୁଷ୍ଟିଂ ଏବଂ ହେଟେରୋଲୋଜିକ୍ ବୁଷ୍ଟିଂ ମଜବୁତ କରିବାରେ ସହାୟକ ହେବ । ସ୍ପୁଟନିକ୍ ଲାଇଟ୍ ପୂର୍ବରୁ ୨୦ରୁ ଅଧିକ ଦେଶରେ ଅନ୍ୟ ଟିକାଗୁଡିକ ପାଇଁ ଏକ ସ୍ୱତନ୍ତ୍ର ଏବଂ ବିଶ୍ବସ୍ତରୀୟ ବୁଷ୍ଟର ଭାବେ ପଞ୍ଜୀକୃତ ହୋଇସାରିଛି ।
ଆର୍ଜେଣ୍ଟିନା, ୟୁଏଇ, ବାହାରିନ, ଫିଲିପାଇନ୍ସ ଏବଂ ସାନ୍ ମାରିନୋରେ ସ୍ପୁଟନିକ ଲାଇଟ ବୁଷ୍ଟର ଭାବେ ପଞ୍ଜିକୃତ ହୋଇସାରିଛି । ମୋଟ ୪ ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୭୧ଟି ଦେଶରେ ସ୍ପୁଟନିକ୍ ଭିକୁ ଅନୁମତି ମିଳିସାରିଥିବା ଆରଡିଆଇଏଫ କହିଛି । ତେବେ ଆରଡିଆଇଏଫ ହେଉଛି ଋଷର ସାର୍ବଭୌମିକ ଅର୍ଥ ପାଣ୍ଠି, ଯାହା ୨୦୧୧ରେ ପ୍ରତିଷ୍ଠିତ ହୋଇଥିଲା ।
