ଆଗାମୀ ଦିନମାନଙ୍କରେ ନିରାପତା ଏବଂ ମରାମତି କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥର ଯୋଜନା
ଭୁବନେଶ୍ୱର : ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁବିଧାକୁ ପ୍ରଭାବିତ ନକରି ତୁରନ୍ତ ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଛି । ନିରାପତା ସମ୍ବନ୍ଧୀୟ ଏହି ଆଧୁନିକୀକରଣ କାର୍ଯ୍ୟଗୁଡ଼ିକରେ ପୁରୁଣା ବ୍ରିଜଗୁଡ଼ିକର ମରାମତି; ଲେଭଲ୍ କ୍ରସିଂକୁ ରୂପାନ୍ତର କରି ସୀମିତ ଉଚ୍ଚତା ଉପ-ମାର୍ଗ ସ୍ଥାପନ; ଦୋହରୀକରଣ ଓ ତୃତୀୟ ରେଳ ଲାଇନ କାର୍ଯ୍ୟ ଇତ୍ୟାଦି କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଟ୍ରାକ ଗୁଡିକର ଇଂଟର ଲକିଂ ଅନ୍ତର୍ଭୁକ୍ତ ଅଟେ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୁପ ନାରାୟଣ ସୁନକର ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନପହଂଚାଇ ଜରୁରୀ ମରାମତି କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପୂର୍ବତଟ ରେଳପଥ ମଧ୍ୟରେ ଟ୍ରେନର ସର୍ବନିମ୍ନ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତନ ପାଇଁ ବିଶେଷ ଯୋଜନା କରାଯାଇଛି । ଆସନ୍ତା ଦୁଇ ମାସ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ସେକ୍ସନ ମାନଙ୍କରେ ନିରାପତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଜନା କରାଯାଇଛି । ରବିବାର ମାନଙ୍କରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ଉପାମାର୍ଗ ନିର୍ମାଣ ସହିତ ଦୋହରୀକରଣ କାର୍ଯ୍ୟ ପାଇଁ ରେଳ ଟ୍ରାକ ସଂଯୋଗ କାର୍ଯ୍ୟ କରାଯାଉଅଛି । ସେହିଭଳି ଗୁରୁବାର ଦିନମାନଙ୍କରେ ପଲାସା-ବିଜୟନଗରମ ରେଳ ସେକ୍ସନ ମଧ୍ୟରେ ବ୍ରିଜ ମାନଙ୍କ ଉପରେ ପୁରୁଣା ଗାର୍ଡ଼ର ବଦଳାଇ ନୂତନ ଗାର୍ଡ଼ର ସ୍ଥାପନ ପାଇଁ ଯୋଜନା କରାଯାଇ ଥିବାବେଳେ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ମଙ୍ଗଳବାର ଓ ଶନିବାର ଦିନ ମାନଙ୍କରେ ଟିଟିଲାଗଡ-ରାୟପୁର ରେଳ ସେକ୍ସନରେ ନିରାପତା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ଯୋଜନା କରାଯାଇଛି । ପୂର୍ବତଟ ରେଳପଥ ଦ୍ୱାରା ଅଗ୍ରୀମ ଯୋଜନା ଯାତ୍ରୀମାନଙ୍କ ପାଇଁ କୌଣସି ଅସୁବିଧା କରାଇବ ନାହିଁ । ବିଭିନ୍ନ ରେଳ ମାର୍ଗରେ ଆଧୁନିକୀକରଣ କାର୍ଯ୍ୟ ବିଭିନ୍ନ ଦିନ ମାନଙ୍କରେ ବଣ୍ଟନ କରାଯାଇଛି । ଯାହାଫଳରେ ସର୍ବନିମ୍ନ ଟ୍ରେନ୍ ବାତିଲ୍, ଆଂଶିକ ବାତିଲ୍ ଏବଂ ମାର୍ଗ ପରିବର୍ତନ କରାଯାଇପାରିବ ।
