୧୦୦ ନିୟୁତ ଟନ୍ ପଣ୍ୟ ବୋଝେଇ କରିବାରେ ପୂର୍ବତଟ ରେଳପଥର ରେକର୍ଡ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସ ପହିଲା ଠାରୁ ସେପ୍ଟେମ୍ବର ମାସ ୧୦ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷ ହୋଇଥିବା ପଣ୍ୟ ବୋଝେଇ ୭୭.୫୮ ନିୟୁତ ଟନ ତୁଳନାରେ ୧୦୦.୩୦ ନିୟୁତ ଟନ ପଣ୍ୟ ପରିବହନ କରି ୨୨.୭୨ ନିୟୁତ ଟନ ଅଧିକ ପରିବହନ କରିପାରିଛି । ଯାହାକି ଗତ ବର୍ଷ ତୁଳନାରେ ୨୯.୩% ଅଧିକ ଏବଂ ଲକ୍ଷ୍ୟ ଠାରୁ ୫.୫% ଅଧିକ ଅଟେ । ଏହି ସମୟ ମଧ୍ୟରେ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ଲୋଡିଂ ଟାର୍ଗେଟ୍ ୯୫.୦୯ ନିୟୁତ ଟନ କୁ ମଧ୍ୟ ପୂର୍ବତଟ ରେଳପଥ ଅତିକ୍ରମ କରିପାରିଛି । ପୂର୍ବ ତଟ ରେଳପଥର ତିନୋଟି ରେଳମଣ୍ଡଳ ଅର୍ଥାତ୍ ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ୫୫.୨୮ ନିୟୁତ ଟନ କୋଇଲା, ଷ୍ଟିଲ ପ୍ଲାଂଟ ପାଇଁ ୩.୬୬ ନିୟୁତ ଟନ କଂଚାମାଲ, ୯.୬୨ ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, ୧୪.୨୬ ନିୟୁତ ଟନ ଲୁହାପଥର, ୦.୫୭ ନିୟୁତ ଟନ ସିମେଂଟ, ୧.୪୧ ନିୟୁତ ଟନ ଖାଦ୍ୟ ଶସ୍ୟ, ୨.୪୩ ନିୟୁତ ଟନ ସାର, ୧.୦୭ ନିୟୁତ ଟନ ତୈଳ ଜାତୀୟ ଦ୍ରବ୍ୟ, କେଂଟନେରରେ ୧.୮୭ ନିୟୁତ ଟନ ମାଲ ପରିବହନ ଏବଂ ଅନ୍ୟାନ କାର୍ଗୋ ୧୦.୧୪ ନିୟୁତ ଟନ ପରିବହନ କରିପାରିଛି ।
ମାଲ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଳଚେର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଂଟ, ଆଲୁମିନିୟମ ପ୍ଲାଂଟ ଏବଂପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ ଶିଳ୍ପ ସଂସ୍ଥା । ଏହି ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୬୭.୧୯ ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୮.୨୪ ନିୟୁତ ଟନ ଏବଂ ସମ୍ବଲପୁର ରେଳମଣ୍ଡଳରୁ ୪.୮୩ ନିୟୁତ ଟନ ପଣ୍ୟ ପରିବହନ କରାଯାଇଛି । ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବରର ପ୍ରଥମ ୧୦ ଦିନ ଅର୍ଥାତ୍ ୧ ରୁ ୧୦ ସେପ୍ଟେମ୍ବର, ୨୦୨୧ ମଧ୍ୟରେ ପୂର୍ବ ତଟ ରେଳପଥ ୬.୦୧ ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହାକି ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ତୁଳନାର ୫.୩୦ ନିୟୁତ ଟନ ପଣ୍ୟ ଠାରୁ ୧୩.୩% ଅଧିକ ପଣ୍ୟ ପରିବହନ ପଞ୍ଜିକରଣ କରିଛି ।
