ଆଇପିଏଲ୍-୨୦୨୧ : ପ୍ରଥମ କ୍ବାଲିଫାୟର ମ୍ୟାଚରେ ପୃଥ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇକୁ ୧୭୩ରନର ବିଜୟ ଲକ୍ଷ୍ୟ
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୧୪ତମ ସଂସ୍କରଣରେ କ୍ୱାଲିଫାୟର-୧ ପାଇଁ ଆଜି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ମୁହାଁମୁହିଁ ହୋଇଛି। ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଦୁଇ ଟିମ୍ ଜୋରଦାର ପ୍ରୟାସ କରୁଛନ୍ତି ।ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ଓ୍ଵିକେଟ୍ ହରାଇ ୧୭୨ ରନ୍ କରିଛି। ଫଳରେ ଚେନ୍ନାଇ ଆଗରେ ଦିଲ୍ଲୀ ୧୭୩ରନ୍ର ବିଜୟ ଲକ୍ଷ୍ୟ ରଖିଛି। ପୃଥ୍ବୀ ସ’ ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଶେଷରେ ପନ୍ତ ଓ ହେଟମାୟରଙ୍କ ଦମଦାର ବ୍ୟାଟିଂ ବଳରେ ଫାଇଟିଂ ଟୋଟାଲ ସ୍କୋର ଛିଡା କରିଛି ଡିସି ।
ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନିଂ ବ୍ୟାଟିଂ ଆସିଥିବା ପୃଥ୍ବୀ ସ ଏବଂ ଶିଖର ଧାଓ୍ବନ ଭଲ ଆରମ୍ଭ କରିଥିଲେ ସୁଦ୍ଧା ଧାଓ୍ବନ ଅଧିକ ସମୟ ତିଷ୍ଠି ପାରିନଥିଲେ । ସେ ମାତ୍ର ୭ ରନକରି ଆଉଟ ହୋଇଥିବା ବେଳେ ଅନ୍ୟପଟେ ପୃଥ୍ବୀ ସ’ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ସେ ମାତ୍ର ୩୪ ବଲରୁ ୭ ଚୌକା ଏବଂ ୩ ଛକା ସହାୟତାରେ ୬୦ ରନ କରି ଆଉଟ ହୋଇଛନ୍ତି । ଅନ୍ୟପଟେ ଶ୍ରେୟସ ଆୟର ୧, ଅକ୍ଷର ପଟେଲ ୧୦ ରନ କରି ଆଉଟ ହୋଇଛନ୍ତି । ଅଧିନାୟକ ଋଷଭ ପନ୍ତ ଏବଂ ସିମ୍ରନ୍ ହେଟ୍ମାୟର ଜବରଦସ୍ତ ବ୍ୟାଟିଂ କରି ଦିଲ୍ଲୀ ସ୍କୋର ବୋର୍ଡକୁ ଆଗକୁ ନେଇଥିଲେ । ହେଟମାୟର ୨୪ ବଲ ଖେଳି ୩ ଚୌକା ଏବଂ ୧ ଛକା ସହାୟତାରେ ୩୭ ରନକରି ଆଉଟ ହୋଇଛନ୍ତି । ଋଷଭ ପନ୍ତ ବ୍ୟକ୍ତିଗତ ଭାବେ ୩୫ ବଲ ଖେଳି ୩ ଚୌକା ଏବଂ ୨ ଛକା ସହାୟତାରେ ୫୧ ରନ ଏବଂ ଟମ୍ କରନ୍ ୦ ରନ କରି ଅପରାଜିତ ଅଛନ୍ତି ।ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ମୋଇନ ଅଲ୍ଲୀ ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଦୀପକ ଚହର ୩ ଓଭରରେ ୨୬ ରନ, ଜୋସ୍ ହେଜେଲଉଡ ୪ ଓଭରରେ ୨୯ ରନ ୨ ଓ୍ବିକେଟ, ଶାର୍ଦ୍ଦୁଳ ଠାକୁର ୩ ଓଭରରେ ୩୬ ରନ, ରବୀନ୍ଦ୍ର ଜାଡେଜା ୩ ଓଭରରେ ୨୩ ରନ ୧ ଓ୍ବିକେଟ ଏବଂ ଡ୍ବେନ୍ ବ୍ରାଭୋ ୩ ଓଭରରେ ୩୧ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
