ପାକିସ୍ତାନରେ ଭୂ-କମ୍ପର ଝଟକା, ୨୦ ମୃତ
People gather outside a hospital following an earthquake in Harnai, Balochistan, Pakistan, October 7, 2021, in this still image obtained from video. Courtesy of QuettaVoice.com / Social Media via REUTERS
ଲାହୋର : ପାକିସ୍ତାନରେ ଗୁରୁବାର ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ ଅତି କମରେ ପ୍ରାୟ ୨୦ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଏହାସହ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।
ସୂଚନା ଯେ, କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ ପ୍ରାୟ ୧୦୨ କିଲୋମିଟର୍ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ଗୁରୁବାର ଭୋର ପ୍ରାୟ ସାଢେ ୩ଟାରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା। ଫଳରେ ପାକିସ୍ତାନର ହରନେଇ ଅଞ୍ଚଳ ଭୂମିକମ୍ପ ଝଟକାରେ ଥରିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ବୋଲି ପ୍ରଥମେ ‘ୟୁରୋପିଆନ୍ ମେଡିଟେରିଆନ୍ ସିସ୍ମୋଲୋଜିକାଲ୍ ସେଣ୍ଟର୍’ କହିଥିଲେ ବି ପରେ ସଂଶୋଧନ କରି ତାହା ୫.୭ ବୋଲି ଉଲ୍ଲେଖ କରିଛି। ଏଥିରେ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପରେ ଲୋକମାନେ ଭୟରେ ଘରୁ ବାହାରି ଯାଇଥିଲେ । ତେବେ ସମସ୍ତ ଶୋଇଥିବା ବେଳେ ଭୂମିକମ୍ପ ବୋଇଥିବା କାରଣରୁ ମୃତକଙ୍କ ସଂଖ୍ୟା ବଢିଛି । ଅନେକ ବଡବଡ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ରାସ୍ତାରେ ଭୟରେ ବସି ରହିଥିବା ଚିତ୍ର ସାମ୍ନାକୁ ଆସିଛି । ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘରର ଛାତ ଓ କାନ୍ଥ ପଡ଼ିଯିବାରୁ ଅଧିକାଂଶ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ବରିଷ୍ଠ ପ୍ରାଦେଶିକ ସରକାରୀ ଅଧିକାରୀ ସୁହୈଲ୍ ଅନ୍ଓ୍ଵାର୍ ହାସ୍ମି ଗଣମାଧ୍ୟମକୁ କହିଛନ୍ତି। ପ୍ରାଣ ହରାଇଥିବା ୨୦ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ୬ଜଣ ପିଲା। ଏନେଇ ପ୍ରାଦେଶିକ ଗୃହମନ୍ତ୍ରୀ ମିର୍ ଜିଆ ଉଲ୍ଲା ଲଙ୍ଗାଉ କହିଛନ୍ତି, ଭୂମିକମ୍ପ ହେତୁ ୨୦ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଆମେ ପାଇଛୁ। ଉଦ୍ଧାର ଉଦ୍ୟମ ଚାଲିଛି। ବାଲୋଚିସ୍ତାନର ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନାସୀର୍ ନାସାର୍ ଗଣମାଧ୍ୟମକୁ କହିଛନ୍ତି, ୧୫ ରୁ ୨୦ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।
