ତୁର୍କୀରେ ଭୂମିକମ୍ପ ତାଣ୍ଡବ, ମୃତ୍ୟୁସଂଖ୍ୟା ଟପିଲା ୩୮୦୦
People and emergency teams rescue a person on a stretcher from a collapsed building in Adana, Turkey, Monday, Feb. 6, 2023. A powerful quake has knocked down multiple buildings in southeast Turkey and Syria and many casualties are feared. (IHA agency via AP)
ଅଙ୍କାରା : ତୁର୍କୀରେ ଭୂମିକମ୍ପ ତାଣ୍ଡବ । ଗତ ୨୪ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ କ୍ରମାଗତ ଭୂମିକମ୍ପ ହେବାରୁ ବ୍ୟାପକ କ୍ଷୟକ୍ଷତି ଓ ଜୀବନହାନି ଘଟିଛି। ପ୍ରଥମେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିବାବେଳେ ଏହା ପରେ ୭.୬ ଓ ୬.୦ ତୀବ୍ରତାର ଦୁଇଥର ଭୂମିକମ୍ପ ହୋଇଥିଲା। ଏପରିକି ୨୪ଘଣ୍ଟା ମଧ୍ୟରେ ୪୦ଥର କମ୍ପନ ଅନୁଭୂତ ହୋଇଥିବା ଜଣାଯାଇଛି। ରିପୋର୍ଟ ଅନୁଯାୟୀ ମୃତ୍ୟୁସଂଖ୍ୟା ୩୮୦୦ରେ ପହଞ୍ଚିଥିବାବେଳେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଇଛି। ଭୂମିକମ୍ପରେ ହଜାର ହଜାର ଅଟ୍ଟାଳିକା ଭୁଶୁଡି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ହଜାର ହଜାର ଲୋକ ଭଗ୍ନାବଶେଷ ମଧ୍ୟରେ ଚାପି ହୋଇରହିଛନ୍ତି। ହଜାର ହଜାରେ ସଂଖ୍ୟାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଅନେକ ସହର ନିଶ୍ଚିହ୍ନ ହୋଇଯାଇଛି। ୩ ହଜାରରୁ ଅଧିକ ବିଶାଳକାୟ ଅଟ୍ଟାଳିକାମାନ ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଧ୍ବଂସସ୍ତୂପ ତଳେ ଏବେ ବି ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏହି ବିପର୍ଯ୍ୟୟ ଯୋଗୁଁ ପଡ଼ୋଶୀ ଦେଶ ସିରିଆର ବ୍ୟାପକ ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତୁର୍କୀର ଯେଉଁ ୯ଟି ପ୍ରଦେଶ ଧ୍ବଂସସ୍ତୂପ ପାଲଟିଛି ସେଗୁଡ଼ିକ ହେଲା ଗାଜିଆନଟେପ, ସାନଲି ଉର୍ଫା, ଦିୟାରବକିର, ଅଦାନା, ଆଦିଆମାନ, ମାଲାତ୍ୟା, ଓଷମାନିଏ, ହାତେ ଏବଂ କିଲିସ। ସେହିଭଳି ସିରିଆର ଚାରିଟି ପ୍ରଦେଶ ଆଲେପୋ, ଲଟାକିଆ, ହାମା ଏବଂ ତତୁର୍ସ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି।
ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗାନଙ୍କ କହିବା ଅନୁଯାୟୀ ୧୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ସିରିୟାରେ ୧୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ସହାୟତା ଲାଗି ତୁର୍କୀ ସରକାର ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି। ଏହି ଭୂମିକମ୍ପର ପ୍ରଭାବ ସାଇପ୍ରସ ଦ୍ବୀପପୁଞ୍ଜ, ଗ୍ରୀସ୍, ଇସ୍ରାଏଲ ଓ ଇଜିପ୍ଟର କାଇରୋରେ ମଧ୍ୟ ଅନୁଭୂତ ହୋଇଛି।
ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା କହିବା ଅନୁଯାୟୀ ତୁର୍କୀର ଗାଜିଆନତେପ ସହରଠାରୁ ୩୩ କିମି ଦୂର ଅଞ୍ଚଳକୁ ଭୂମିକମ୍ପର ଉତ୍ପତ୍ତିସ୍ଥଳ ଦର୍ଶାଯାଇଛି। ଭୂପୃଷ୍ଠର ୧୮କିମି ଗଭୀରେର ଭୂମିକମ୍ପ ସୃଷ୍ଟି ହୋଇଥିଲା। ଭୂମିକମ୍ପ ସମ୍ପର୍କରେ ଅବଗତ ହେବା ପରେ ଆନ୍ତର୍ଜାତିକ ସଂଗଠନ ସହିତ ବିଭିନ୍ନ ରାଷ୍ଟ୍ର ସହାୟତାର ହାତ ବଢାଇଛନ୍ତି। ଭାରତ ସରକାର ତୁର୍କୀକୁ ଏନଡିଆରଏଫ୍ ବାହିନୀ, ଡାକ୍ତରୀ ଦଳ ଓ ରିଲିଫ ସାମଗ୍ରୀ ପଠାଇବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜରୁରୀ ବୈଠକ ଡକାଇ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହେବା ସହିତ ସହାୟତା ପଠାଇବା ଲାଗି ନିର୍ଦେଶ ଦେଇଛନ୍ତି। ସେହିପରି ଆମେରିକା, ବ୍ରିଟେନ, ଚୀନ, ରୁଷ୍, ୟୁରୋପୀୟ ୟୁନିୟନ ସହାୟତା ପଠାଇବା ଆରମ୍ଭ କରିଛନ୍ତି। ବ୍ରିଟେନ ଏହାର ୭୬ଜଣ ଉଦ୍ଧାରକାରୀ ଦଳ ପଠାଇବାକୁ ଘୋଷଣା କରିଛି। ଉଦ୍ଧାରକାରୀ ଦଳ ସହିତ ଯନ୍ତ୍ରାଂଶ ଓ ରିଲିଫ ସାମଗ୍ରୀ ପଠାଯିବ ବୋଲି ଆଙ୍କାରାସ୍ଥିତ ବ୍ରିଟେନ ରାଷ୍ଟ୍ରଦୂତ ଜିଲ୍ ମୋରିସ୍ କହିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସନକ କହିଛନ୍ତି ଯେ ଭୂମିକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ସହାୟତା ନିମନ୍ତେ ତାଙ୍କ ଦେଶ ପ୍ରସ୍ତୁତ ରହିଛି। ସେହିପରି ୟୁରୋପୀୟ ୟୁନିୟନ (ଇୟୁ) ପକ୍ଷରୁ ରେମାନିଆ, ସ୍ପେନ, ପୋଲାଣ୍ଡ ମଧ୍ୟ ମିଳିତ ଉଦ୍ଧାରକାରୀ ଦଳ ପଠାଇବାର ଯୋଜନା କରିଛନ୍ତି। ଅଧିକାଂଶ ଆନ୍ତର୍ଜାତିକ ସହାୟତା ତୁର୍କୀକୁ ଯାଉଥିବାବେଳେ ସିରିୟାକୁ ସହାୟତା ପଠାଇବା ଲାଗି ରୁଷ୍ ଘୋଷଣା କରିଛି। ରୁଷ୍-ୟୁକ୍ରେନ ଯୁଦ୍ଧରେ ରୁଷ୍କୁ ସିରିୟା ସହାୟତା କରୁଥିବାରୁ ଏହା ଆନ୍ତର୍ଜାତିକ ସଂଗଠନର ଆକ୍ରୋଶର ସମ୍ମୁଖୀନ ହୋଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଉଭୟ ତୁର୍କୀ ଓ ସିରିୟା ରାଷ୍ଟ୍ରପତିଙ୍କ ନିକଟକୁ ସମବେଦନା ବାର୍ତ୍ତା ପଠାଇଛନ୍ତି। ତୁର୍କୀ ରାଷ୍ଟ୍ରପତି ତାଇପେ ଏର୍ଦୋଗାନ ଓ ସିରିୟା ରାଷ୍ଟ୍ରପତି ବାସର ଅଲ୍ ଆସଦଙ୍କୁ ନିକଟକୁ ଜିନପିଙ୍ଗ ଅଲଗା ଅଲଗା ସମବେଦନା ବାର୍ତ୍ତା ପଠାଇଛନ୍ତି। ସେହିପରି ପୋପ୍ ଫ୍ରାନସିସ୍, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
