ଦୁର୍ଗାପୂଜା ଶାନ୍ତି କମିଟି ଓ ପ୍ରସ୍ତୁତି ବୈଠକ
ଝାରସୁଗୁଡ଼ା : ଆଗାମୀ ଦୁର୍ଗାପୂଜା ଉପଲକ୍ଷେ ଶାନ୍ତି କମିଟି ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ପ୍ରେକ୍ଷାଗୃହରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ପ୍ରବୀର କୁମାର ନାୟକ ଓ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସାମଲ ଆଗାମୀ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳା, ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରା ମଧ୍ୟରେ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରି ପୂଜା ପାଇଁ ଆବଶ୍ୟକୀୟ ଅନୁମତି ହାସଲ କରିବା ଓ ନୀତି ନିୟମ ଅନୁପାଳନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଆଇନ ଶୃଙ୍ଖଳା ରକ୍ଷା ପୂର୍ବକ ଶାରଦୀୟ ପୂଜା ପାଳନ କରିବା ଓ ପୁଲିସ ପ୍ରଶାସନ ସହିତ ସହଯୋଗ ପାଇଁ ଆରକ୍ଷୀ ଅଧିକ୍ଷକ କହିଥିଲେ । ପୂଜା ମଣ୍ଡପରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଡ଼ାକବାଜି ଯନ୍ତ୍ର ବ୍ୟବହାର, ବିସର୍ଜନ ଶୋଭାଯାତ୍ରା ଆଦି ସକାଶେ ନିୟମର ଅନୁପାଳନ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଆଗାମୀ ଅକ୍ଟୋବର ୭ତାରିଖରେ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ବୈଠକରେ ସ୍ଥିର କରାଯାଇଥିଲା । ସର୍ବସାଧାରଣ ସ୍ଥାନମାନଙ୍କରେ ମଦ୍ୟପାନ ନ କରିବା , ଅତ୍ୟୁଚ୍ଚ ଶବ୍ଦଯୁକ୍ତ ବାଇକ ନ ଚଳାଇବାକୁ ସତର୍କ କରାଇ ଦିଆଯାଇଛି । ଏପରି ସ୍ଥଳେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂଜା ପୂର୍ବରୁ ଆବଶ୍ୟକୀୟ ରାସ୍ତାଘାଟ ମରାମତି ଓ ଆଲୋକ ବ୍ୟବସ୍ଥା ବ୍ୟବସ୍ଥିତ କରିବା ସକାଶେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ପାଳିତ ଗୋରୁଗାଈ ଆଦି ରାସ୍ତାକୁ ନ ଛାଡିବାକୁ ମଧ୍ୟ ସତର୍କ କରାଇ ଦିଆଯାଇଛି । ବୈଠକରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବୈଠକରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।
