ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ରେଳଧାରଣା, ଅଟକିଲା ଲୋକାଲ ଟ୍ରେନ୍ ସେବା
ମୁମ୍ବାଇ : ମୁମ୍ବାଇରେ ବିଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି । ମୂଷଳ ଧାରାରେ ବର୍ଷା ଯୋଗୁଁ ଖାଲୁଆ ଅଂଚଳ ଗୁଡିକ ଜଳମଗ୍ନ ହୋଇଯାଇଛି । ଏପରିକି ବର୍ଷାର ପ୍ରଭାବ ମଧ୍ୟ ରାଜରାସ୍ତାରେ ଦେଖିବାକୁ ମିଳିଛି । ଯାହାଫଳରେ କେତେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଯାଇଛି । ସେହିପରି ରେଳଧାରଣା ବୁଡ଼ିବା ଯୋଗୁଁ ଅଟକିଲା ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ ଟ୍ରେନ୍ ସେବା। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବ ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ।
Maharashtra | Mumbai local train service between Umbermali railway station and Kasara halted due to heavy rainfall. Train service between Igatpuria and Khardi has been temporarily stopped due to waterlogging on tracks: CPRO, Central Railway
— ANI (@ANI) July 21, 2021
(Image: Umbermali railway station) pic.twitter.com/PHZEHeQyJ7
ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମୁମ୍ବାଇରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବୁଧବାର ପ୍ରବଳ ବର୍ଷା ହେବାରୁ ଉମ୍ବୋରମାଳୀ ରେଳଷ୍ଟେସନ ଏବଂ କସାରା ମଧ୍ୟରେ ରେଳ ସେବା ଅଟକାଇ ଦିଆଯାଇଛି । ରେଳଧାରଣାରେ ପାଣି ଭର୍ତ୍ତି ହୋଇଯାଇଛି । ମଧ୍ୟରେଲୱେ ମୁଖ୍ୟ ଲୋକସଂପର୍କ ଅଧିକାରୀ ଶିବାଜୀ ସୁତାର କହିଛନ୍ତି, ଦୂରଗାମୀ ଟ୍ରେନରେ ପୁଣେ-ଦରଭଂଗା ସ୍ୱତନ୍ତ୍ର ଏବଂ ସିଏସଏମଟି-ବାରାଣସୀ ସ୍ୱତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିଠାରୁ ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ କସାରାରେ ୨୦୭ ମିଲିମିଟର ବର୍ଷା ହୋଇଛି । ଏଥିରୁ କେବଳ ଗୋଟିଏ ଘଣ୍ଟା ମଧ୍ୟରେ ୪୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୃହନମୁମ୍ବାଇ ମହାନଗରପାଳିକାର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇରେ ବୁଧବାର ସକାଳ ୮ଟା ପରେ ରାତି ୧୦ ଟା ପର୍ଯ୍ୟନ୍ତ ୬୮.୭୨ ମିଲିମିଟର ବର୍ଷା ହୋଇଛି । ପୂର୍ବ ଏବଂ ପଶ୍ଚିମ ଉପନଗରରେ ଯଥାକ୍ରମେ ୫୮.୭୫ ମିଲିମିଟର ଏବଂ ୫୮.୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବୁଧବାର ଅପରାହ୍ନରେ ବର୍ଷା ସାମାନ୍ୟ କମିଥିଲା, କିନ୍ତୁ ରାତିରେ ପୁଣି ଏହା ବଢ଼ିଯାଇଥିଲା । ମୁମ୍ବାଇ ମହାନଗର ନିଗମ କର୍ମଚାରୀ ଜଳ ନିଷ୍କାସନ କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ଯଦି ବର୍ଷା ଏଭଳି ଲାଗି ରହେ ସ୍ଥିତି ଆଗକୁ ଆହୁରି ବିଗିଡ଼ିବାର ଆଶଙ୍କା କରାଯାଇଛି ।
