ଡିଆରଡିଓ ତଥ୍ୟ ଲିକ ହନି ଟ୍ରାପ୍ ଲିଙ୍କ!
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଯୋଗାଇ ଦେବା ଅଭିଯୋଗରେ ପୋଲିସ ୪ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପାକିସ୍ତାନର ଜଣେ ମହିଳା ଏଜେଣ୍ଟଙ୍କ ଦ୍ୱାରା ହନିଟ୍ରାପ୍ (ମଧୁର ଜାଲ)ର ଶୀକାର ହୋଇ ସେମାନେ ଏପରି କାଣ୍ଡ ଭିଆଇଥିବା ନେଇ ଜଣାପଡ଼ିଛି । ଡିଆର୍ଡିଓର ଜଣକ ପରେ ଜଣେ ୪ଜଣ ଉକ୍ତ ମହିଳାଙ୍କ ସହିତ ସମ୍ପର୍କରେ ଆସିଥିଲେ । ପରେ ଡିଆର୍ଡିଓରେ ଘଟୁଥିବା ଦୈନନ୍ଦିନ ତଥ୍ୟ ପାକିସ୍ତାନର ଉକ୍ତ ମହିଳା ଏଜେଣ୍ଟ ଙ୍କ ନିକଟକୁ ପଠାଯାଉଥିଲା ।
ସୂଚନା ଯେ, ଡିଆର୍ଡିଓରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ିଥିଲେ । ଗିରଫ ୪ ଠିକା କର୍ମଚାରୀ ଜଣେ ପାକିସ୍ତାନୀ ସୁନ୍ଦରୀ ଏଜେଣ୍ଟଙ୍କ ହନିଟ୍ରାପ୍ରେ ଫସି ଡିଆର୍ଡିଓର ଗୁପ୍ତ ଓ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଆଶଙ୍କା କରାଯାଉଛି। ଏନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ବାଲେଶ୍ୱର ଏସ୍ପି ସୁଧାଂଶୁ ଶେଖର ମିଶ୍ର। ଆଲୋଚନା ହେଉଛି ପାକିସ୍ତାନୀ ସୁନ୍ଦରୀ ଜଣକ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲା। ନିଜକୁ ଉତ୍ତରପ୍ରଦେଶର ଯୁବତୀ ଭାବେ ପରିଚୟ ଦେଇ ଆତ୍ମୀୟତା ବଢାଇଥିଲା। ପରେ ଚାନ୍ଦିପୁର ବୁଲି ଆସିବାକୁ ଇଚ୍ଛା କରିବା ସହ ଏକ ସ୍ଥାନୀୟ ସିମ୍ କାର୍ଡ ଯୋଗାଡ କରିବାକୁ କହିଥିଲା। ଏଥିପାଇଁ ସଂପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇବା ସହ ବିଶ୍ୱାସ ଭାଜନ ହୋଇଥିଲା। ଆଉ ତା’ପରେ କର୍ମଚାରୀ ଜଣକ ନିଜ ନାଁରେ ସିମ୍କାର୍ଡ ଆଣି ସଂପୃକ୍ତ ସୁନ୍ଦରୀଙ୍କୁ ନମ୍ବର ଦେଇଥିଲେ। ସେ ସେହି ନମ୍ବରରେ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ଜଣକ ପରେ ଜଣେ ୪ଜଣ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲା। ଆଉ ସମୟ ସୁବିଧା ଦେଖି ଗୁପ୍ତ ତଥ୍ୟ ହାସର କରିଥିଲା ପାକିସ୍ତାନୀ ସୁନ୍ଦରୀ। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ମଧ୍ୟ ଫେସ୍ବୁକ୍ରେ ଚାଟ କରିବା କଥାକୁ ସ୍ୱୀକାର କରିଛି ହେମନ୍ତ ମିସ୍ତ୍ରୀ।
