ଡିଆରଡ଼ିଓ ତଥ୍ୟ ଲିକ ମାମଲା : ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସମ୍ପୃକ୍ତ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ବ୍ୟାଙ୍କ ଆକାଉଣ୍ଟ, ମହିଳା ବିଦେଶୀ ଥିବାରୁ ଇଣ୍ଟରପୋଲର ସହାୟତ ନେବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ରହସ୍ୟମୟୀଙ୍କ ଫଟୋ ମଧ୍ୟ ମିଳିଛି । ସେହିପରି ରସହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ ଠାବ କରାଯାଇଛି । ଡାଟା ଭେରିଫାଏ ହେଲା ପରେ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆସିବେ । ତେବେ ଏହି ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରି ରଖିଥିଲେ । ଆଉ ଏହି ମୋବାଇଲ ଜରିଆରେ ସେ ଚାନ୍ଦିପୁର ଡିଆରଡିଓରୁ ଗୁପ୍ତ ତଥ୍ୟ ଚୋରି କରିଥିବା ଅଭିଯୁକ୍ତଙ୍କ ଲିକରେ ଥିବା ଲୋକଙ୍କ ସହ ଯୋଗାଯୋଗ କରୁଥିଲେ । ସେପଟେ ଅଭିଯୁକ୍ତ ଲିକରେ ଯେଉଁମାନେ ଥିଲେ ସେମାନେ ରହସ୍ୟମୟୀ ମହିଳାଙ୍କ ସହ କଥା ହେବା ପାଇଁ ନୂଆ ସିମ୍ କିଣିଥିଲେ । ମହିଳା ଜଣକ ଅଭିଯୁକ୍ତ ସଚିନ କୁମାର ଛତ୍ତାଙ୍କ ଜରିଆରେ ଅଧିକାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ । ଆଉ ଏହି ରହସ୍ୟମୟୀ ମହିଳା ଜଣକ ବିଦେଶରେ ରହି ଅପରେଟ୍ କରୁଥିଲେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ।
ସୂଚନା ଯେ, ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ୫ ଜଣ ଅଭିଜ୍ଯୁକ୍ତଙକୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କୁ ୭ ଦିନ ଧରି ମାରଥାନ ଜେରା କରିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିଲା । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ରିମାଣ୍ଡ ବେଳେ ମିଳିଥିବା ବିଭିନ୍ନ ତଥ୍ୟକୁ ଅଧିକ ତର୍ଜମା କରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଆଣଯିବ ବୋଲି କୁହାଯାଇଥିଲା । ରହସ୍ୟମୟୀ ମହିଳା ଜଣକ ବିଭିନ୍ନ ସୋସିଆଲ ମିଡ଼ିଆ ଯଥା ଫେସବୁକ, ଇଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ମାଧ୍ୟମରେ ଚାଟ କରିବା ସହ ଅଭିଯୁକ୍ତମାନଙ୍କ ସହିତ କଥା ହେଉଥିଲେ । ଏପରିକି ଭିଡ଼ିଓ କଲ ମଧ୍ୟ କରୁଥିଲେ । ଉକ୍ତ ମହିଳା ଜଣଙ୍କ ଅଭିଯୁକ୍ତମାନଙ୍କ ସହିତ ହିନ୍ଦିରେ କଥାବାର୍ତ୍ତା କରୁଥିଲେ । ଫେସବୁକରେ ବିଭିନ୍ନ ନାଁରେ ପ୍ରାୟ ୭ଟି ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କମାନଙ୍କୁ ଯୋଗାଯୋଗ କରୁଥିଲେ । ଏପରିକି ସମସ୍ତ ଆକାଉଣ୍ଟରେ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ ଉକ୍ତ ମହିଳା । ଯାହାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ସେହିପରି ଦୁଇଜଣ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ଚାନ୍ଦିପୁରସ୍ଥିତ ଘରକୁ ଆସିବାକୁ ମଧ୍ୟ କହିଥିଲେ । ଏହାବାଦ୍ ଦୁବାଇ ବ୍ୟାଙ୍କ ଆକାଉଣ୍ଟରୁ ଅଭିଯୁକ୍ତକୁ ଯେଉଁ ଟଙ୍କା ଆସିଥିଲା ସେନେଇ ତଦନ୍ତ କରାଯାଉଛି । ଅଭିଯୁକ୍ତମାନେ ଆଉ କେଉଁ ମାଧ୍ୟମରେ ଟଙ୍କା ପାଇଛନ୍ତି ସେନେଇ ତଦନ୍ତ ଜାରି ରହିଛି । ମହିଳା ଜଣଙ୍କ ୟୁକେ ନମ୍ବର ଜଣିବା ପାଇଁ ମଧ୍ୟ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏହାବାଦ ମହିଳାଙ୍କ ପ୍ରକୃତ ପରିଚୟ କଣ ଏବଂ ସେ କେଉଁଠି ଅବସ୍ଥାନ କରୁଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ଶ୍ରୀ ପଣ୍ଡା ବୋଲି କହିଛନ୍ତି । ଅନ୍ୟପଟେ ରହସ୍ୟମୟୀ ମହିଳାଙ୍କୁ କ୍ଷେପଣାସ୍ତ୍ର ସମ୍ପର୍କରେ ଅନେକ କିଛି ସୂଚନା ଦିଆଯାଇଥିବା ଜଣାପଡ଼ିଛି । ଚାନ୍ଦିପୁର ଆଇଟିଆଇର ନିର୍ଦ୍ଦେଶକଙ୍କ ଗାଡ଼ି ଡ୍ରାଇଭର ସଚିନ ଛତ୍ତ୍ରା ଏହି ସୂଚନା ଦେଇଛି ବୋଲି ସନ୍ଦେହ କରାଯାଉଛି । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ବେଳେ ଏପରି କିଛି ସୂଚନା ପାଇଛି କ୍ରାଇମବ୍ରାଞ୍ଚ । ଡ୍ରାଇଭର ସଚିନ ଆଇଟିଆଇର ନିର୍ଦ୍ଦେଶକଙ୍କୁ ନେବା ଆଣିବା କରୁଥିଲା । ତେଣୁ ନିର୍ଦ୍ଦେଶକ ଫୋନରେ କଥା ହେବା ବେଳେ କିମ୍ବା କାହା ସହିତ ଆଲୋଚନା କରିବା ବେଳର ତଥ୍ୟ ସଚିନ ଦେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମିଳିବା ପରେ କ୍ରାଇମବ୍ରାଞ୍ଚ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ୨ଟି କିସ୍ତିରେ ୩୮ ଟଙ୍କା କାରବାର ହେବା ଓ ରହସ୍ୟମୟୀ ମହିଳାଙ୍କ ସହ ଚାଟ ବେଳେ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ଦେଇଥିବା କଥା ସାମ୍ନାକୁ ଆସିଥିଲା ।
