ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କଲେ ଦ୍ରାବିଡ
ନୂଆଦିଲ୍ଲୀ : ଶେଷରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କଲେ ରାହୁଲ ଦ୍ରାବିଡ। ରାହୁଲ ଦ୍ରାବିଡ଼ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ସହିତ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଆଉ ନିକଟରେ ଖବର ପ୍ରକାଶ ପାଇଥିଲା ଯେ ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହେବାକୁ ରାଜି ହୋଇଛନ୍ତି। ଦ୍ରାବିଡ଼ଙ୍କର ଅନେକ ଅଭିଜ୍ଞତା ଅଛି ଏବଂ ତାଙ୍କ ତତ୍ତ୍ୱାବଧାନରେ ଏନସିଏର ଅନେକ ଯୁବ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ଛାପ ଛାଡ଼ିଛନ୍ତି ।
ଆଇପିଏଲ ଫାଇନାଲ ବେଳେ ରାହୁଲ ଦୁବାଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ଶାହାଙ୍କୁ ମଧ୍ୟ ଭେଟିଥିଲେ । ତେବେ ସୌରଭ ଗାଙ୍ଗୁଲି କହିଥିଲେ ଯେ ଏନସିଏର ପରିଚାଳନା ବାବଦରେ ଆଲୋଚନା କରିବାକୁ ଦ୍ରାବିଡ଼ ଦୁବାଇ ଆସିଥିଲେ। ତେବେ କୋଚ ନିଯୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ସମାପ୍ତ ହୋଇନାହିଁ । ଏହାର ବିଜ୍ଞାପନ ଦିଆଯାଇଛି । ଯଦି ସେ (ରାହୁଲ ଦ୍ରାବିଡ) ଆବେଦନ କରିବାକୁ ଚାହାଁନ୍ତି, ତେବେ ସେ ଆବେଦନ କରିପାରିବେ । ଆଉ ଆଜି ରାହୁଲ ଦ୍ରାବିଡ଼ ମୁଖ୍ୟ କୋଚ ପାଇଁ ଆବେଦନ କରିଛନ୍ତି । ସୂଚନା ଯେ, ମୁଖ୍ୟ ପ୍ରଶିକ୍ଷକ ଚୟନ ପାଇଁ ନିକଟରେ ବିସିସିଆଇ ବିଜ୍ଞାପନ ବାହାର କରିଥିଲା। ଟି -୨୦ ବିଶ୍ୱକପ ପରେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ଏବଂ ସେ ଏହି ପଦରେ ଆଉ ରହିବାକୁ ଚାହୁଁନାହାଁନ୍ତି ବୋଲି ଦର୍ଶାଇଛନ୍ତି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାରେ ଦ୍ରାବିଡଙ୍କ ନାମ ଆଗରେ ରହିଛି ଏବଂ ବର୍ତ୍ତମାନ ତାଙ୍କ ଆବେଦନ ପରେ ଏହି ସମ୍ଭାବନା ଆହୁରି ବଢିଯାଇଛି । ସେହିପରି ନ୍ୟାସନାଲ କ୍ରିକେଟ୍ ଏକାଡେମୀର ଦାୟିତ୍ୱ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଦିଆଯାଇପାରେ ।
