ଯୌତୁକ ଜୁଈରେ ସଙ୍ଗୀତା! ପିଟି ପିଟି ହତ୍ୟା ଅଭିଯୋଗ, ସ୍ୱାମୀ ଗିରଫ
ବାଲେଶ୍ୱର : ଆଜିବି ଲୋକଙ୍କ ମନରୁ ଲିଭିନି ଯୌତୁକ ପ୍ରଥା । ଫଳରେ ଯୌତୁକ ଜନିତ ଯନ୍ତ୍ରଣାରେ ବଳି ପଡୁଛନ୍ତି ଶତାଧିକ ମହିଳା । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ରୂପସା ଥାନା ଅନ୍ତର୍ଗତ ଆଙ୍କୋ ଗ୍ରାମରେ ଯୁବକ ରଶ୍ମିରଞ୍ଜନ ନାୟକ ତାଙ୍କ ପତ୍ନୀ ସଙ୍ଗୀତା (୨୫)ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା (ନଂ. ୨/୨୨) ରୁଜୁ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଓଆଇସି ସୂଚନ୍ଦ୍ର ମହାଳିକ, ଏଏସ୍ଆଇ ନଗେନ୍ଦ୍ର ନାଥ ଦାସ ଓ ସବ୍ୟସାଚୀ ମହାନ୍ତି ପ୍ରମୁଖଙ୍କ ସହ ସାଇଣ୍ଟିଫିକ୍ ଟିମ୍ ତାଙ୍କ ବାସଭବନରେ ପହଞ୍ôଚ ଶନିବାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଯେ, ଗତ ୨୦୧୫ ମାର୍ଚ୍ଚ ୮ ତାରିଖରେ ସଦର ଥାନା ସହିପୁର ଗ୍ରାମର ଗଦାଧର ସାହାଣୀଙ୍କ ଝିଅ ସଙ୍ଗୀତାଙ୍କ ସହ ରଶ୍ମିରଞ୍ଜନଙ୍କ ବିବାହ ହୋଇଥିଲା । ତାଙ୍କର ଏକ ୩ ବର୍ଷର ଶିଶୁପୁତ୍ର ରହିଛି । ବିଭିନ୍ନ ସମୟରେ ଅଭିଯୁକ୍ତ ସ୍ୱାମୀ, ଶାଶୁଘର ଲୋକେ ଓ ନଣନ୍ଦେଇ ମିଶି ଯୌତୁକ ଜନିତ ଶାରୀରିକ, ମାନସିକ ନିର୍ଯାତନା ଦେଉଥିବା ବେଳେ ଗତ ଶୁକ୍ରବାର ଝିଅକୁ ପିଟି ପିଟି ହତ୍ୟା ପରେ ଶାଢ଼ୀରେ ଫାଶୀ ଦିଆଯାଇଥିବା ମୃତା ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପଞ୍ଚନାମା ପରେ ମୃତଦେହ ବ୍ୟବଚ୍ଛେଦ କରାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।
