ଓଡ଼ିଶା ପୋଲିସରେ ସାମିଲ ହେଲା ବେଲଜିୟମ ମେଲେନିୟସ ପ୍ରଜାତିର ୫ଟି କୁକୁର
ଚୋରି, ହତ୍ୟାକାଣ୍ଡ ଓ ଅପରାଧକୁ ରୋକିବା ଦିଗରେ ସହାୟକ ହେବ
ଭୁବନେଶ୍ୱର : ଓଡ଼ିଶା ପୋଲିସ କେ. ନାଇନ୍ ସ୍କ୍ୱାର୍ଡରେ ସାମିଲ ହେଲା ବେଲଜିୟମ ମେଲେନିୟସ ପ୍ରଜାତିର କୁକୁର । ଯାହାର ଏକ ସ୍ଵତନ୍ତ୍ର ପ୍ରଦର୍ଶନ ଓଡିଶା ପୋଲିସ ମୁଖ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି କୁକୁର ରାଜସ୍ଥାନର ଏସଏସବି ବାଟାଲିୟନରୁ ସ୍ଵତନ୍ତ୍ର ତାଲିମ ନେଇ ଆସିଛନ୍ତି । ଓଡିଶା ପୋଲିସ ଏହି ପ୍ରଜାତିର ୫ଟି କୁକୁର ଆଣିଥିବା ବେଳେ ଆଗକୁ ଆହୁରି ଅଣାଯିବ ବୋଲି କୁହାଯାଇଛି । ଏହି କୁକୁରର ଦାମ୍ ୭୫ରୁ ୮୦ହଜାର ଥିବାବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ୩୫ ହଜାର ଟଙ୍କାରେ ପ୍ରଦାନ କରାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ଏହି ପ୍ରଜାତିର ୫ଟି କୁକୁରଙ୍କୁ କେ-୯ ସ୍କ୍ୱାର୍ଡରେ ସାମିଲ କରାଯାଇଥିବାବେଳେ ଆଗକୁ ଆହୁରି ୧୩ଟି କୁକୁରଙ୍କୁ ଏହି ସ୍କ୍ୱାର୍ଡ ରେ ସାମିଲ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି। ଏହି ପ୍ରଜାତିର କୁକୁରମାନଙ୍କୁ ସେନା ବାହିନୀ, ନୌବାହିନୀ, ଆଇଟିବିପି ଓ ବିଏସଏଫରେ ନିୟୋଜିତ କରାଯାଇଥାଏ। ତାଲିମ ନେଇ ଆସିଥିବା ଏହି କୁକୁର ଙ୍କ ଶରୀରରେ ମାଇକ୍ରୋ ଚିପ ବ୍ୟବହାର ହୋଇଥିବା କହିଛନ୍ତି କେ୯ ସ୍କ୍ୱାର୍ଡ ଇନଚାର୍ଜ। ଆଜିର ଏହି କୌଶଳ ପ୍ରଦର୍ଶନ ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ଆର କେ ଶର୍ମା ,ଆଇଜି କ୍ରାଇମବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା ଓ ଆଇଜି ପର୍ସନେଲ ପ୍ରବୀଣ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ ଅଧକାରୀ ଉପସ୍ଥିତ ରହିଥିଲେ।
ଏହି ପ୍ରଜାତିର କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ସୁରକ୍ଷା ବଳ ବା ଏସଏସବିରେ ୯ ମାସ ତାଲିମ ପ୍ରଦାନ କରାଯିବା ପରେ ଅଣାଯାଇଛି । ଏହି ବେଲଜିୟମ ମାଲେନାଇସ କୁକୁର ବିଶେଷକରି ଚୋରି, ହତ୍ୟାକାଣ୍ଡ, ରାହାଜାନୀ ,ଡକାୟତି ସହ ମଣିଷକୃତ ଅପରାଧକୁ ଧରିବାରେ ବେଶ ସହାୟକ ହେବ ବୋଲି ଏହାର ଟ୍ରେନର କହିଛନ୍ତି । ତେବେ ଏହି କୁକୁରର ଘ୍ରାଣ ଶକ୍ତି ଏତେ ପ୍ରଖର ଯେ କୌଣସି ପରିସ୍ଥିତିରେ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇପାରିବ।
