ଡିଏଲ୍, ଲର୍ଣ୍ଣିଂ ବୈଧତା ସେପ୍ଟେମ୍ବର ୩୦ ଯାଏଁ ବୃଦ୍ଧି
ଭୁବନେଶ୍ୱର : କରୋନା ପାଇଁ ପୁଣିଥରେ ଗାଡ଼ି ସମ୍ପର୍କିତ କାଗଜପତ୍ରର ବୈଧତା ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁରୋଧ ପରେ ଆଜି ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ)ଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି ହୋଇଛି ।
ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୦ ଫେବୃୟାରୀ ୧ରୁ ଚଳିତବର୍ଷ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧତା ଶେଷ ହୋଇଥିବା ସମସ୍ତ ପ୍ରକାର ଗାଡ଼ି ପାଇଁ ଏହା ପ୍ରଯୁଜ୍ୟ ହେବ । ଗାଡ଼ିଗୁଡ଼ିକର ଫିଟନେସ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ , ଲର୍ଣ୍ଣିଂ ଲାଇସେନ୍ସ,ରେଜିଷ୍ଟ୍ରେସନ ସାର୍ଟିଫିକେଟ, ସମେତ ମାଲ ପରିବହନ କରୁଥିବା ଗାଡ଼ି , ଘରୋଇ ସେବା ଯୋଗାଉଥିବା ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସ୍ ର ପରମିଟ୍ ବୈଧତାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଗାଡ଼ିର ବୀମା, ପଲ୍ୟୁସନ୍ ଓ ସାମୟିକ ପରମିଟ୍ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ । ତେବେ ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧିର ବୈଧତା ୨୦୨୦ ମାର୍ଚ୍ଚ ୧୮ରୁ ଶେଷ ହୋଇଛି ଅବା ୨୦୨୧ ସେପ୍ଟେମ୍ବର ୩୦ତାରିଖ ମଧ୍ୟରେ ଶେଷ ହୋଇଯିବ, ସେହି ଦସ୍ତାବିଜଗୁଡ଼ିକ ସେପ୍େଟମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେହେତୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ୨୦୨୦ ମାର୍ଚ୍ଚ ୧୮ତାରିଖରୁ ରଦ୍ଦ ହୋଇଛି ।
