ଜିଲାସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗୀତା; ଦାମୋଦର ନୋଡ଼ାଲ ହାଇସ୍କୁଲ ପ୍ରଥମ
ବାଲେଶ୍ୱର : ବାଲେଶ୍ୱର ଜିଲା ଶିିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲାସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗୀତା ଜିଲା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ହୋଇ ୧୨ଟି ବ୍ଲକରୁ ୧୨ଟି ଦଳ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । କିଶୋର ଓ ତରୁଣ ବୟସର ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟ ବସ୍ତୁକୁ ନେଇ ନବମ ଶ୍ରେଣୀ ପଢୁଥିବା ଛାତ୍ରୀଛାତ୍ରଙ୍କ ଦ୍ୱାରା କ୍ଷୁଦ୍ର ନାଟକ ଅଭିନୀତ ହୋଇଥିଲା । ବିଚାରକ ଭାବରେ ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ମହାପାତ୍ର, ନାଟ୍ୟକାର ମୀନାକୁମାରୀ ସାମଲ ଓ ଗାଳ୍ପିକ ଅଞ୍ଜନ ଚାନ୍ଦ ଯୋଗଦେଇଥିଲେ ।
ସିମୁଳିଆ ବ୍ଲକର ଦାମୋଦର ନୋଡ଼ାଲ ହାଇସ୍କୁଲ ପ୍ରତିଯୋଗୀତାରେ ପ୍ରଥମ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିଲା । ଖଇରା ବ୍ଲକର କୁପାରି ହାଇସ୍ୁଲ ଦ୍ୱିତୀୟ ଓ ସଦର ବ୍ଲକର ଶକୁନ୍ତଳା ବାଳିକା ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁଚରଣ ସୂତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣମୋହନ ସିଂହଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଶିକାନ୍ତ ପତି ଧନ୍ୟବାଦ ଦେଇଥିଲେ । ଶିକ୍ଷକ ଚକ୍ରଧର ମିଶ୍ର ଓ ଚକ୍ରଧର ସ୍ୱାଇଁ ପରିଚାଳନାରେ ସହଯୋଗ କରିଥିଲେ ।
