ଜିଲା ସଡ଼କ ସୁରକ୍ଷା କମିଟି ବୈଠକ : ସିସିଟିଭି ବ୍ୟବସ୍ଥା ଓ ନୂତନ ବ୍ଲାକସ୍ପଟ୍ ଚିହ୍ନଟ ଉପରେ ଗୁରୁତ୍ୱ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମୀ ରଞ୍ଜିତ ଦଳବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ପୋଲିସ୍ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀ, ଜିଲା ସଡ଼କ ସୁରକ୍ଷା ସମିତିର ସଦସ୍ୟ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ପରିବହନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ।
ବୈଠକର ଆବାହକ ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଗତ ମାସ ବୈଠକରେ ହୋଇଥିବା ନିଷ୍ପତ୍ତି ଆଧାରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସଡ଼କ ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ବିଭିନ୍ନ ସମୟରେ ଦିଆଯାଇଥିବା ନିର୍ଦ୍ଦେଶନାମାର କଡ଼ାକଡ଼ି ଅନୁପାଳନ, ଦ୍ରୁତ ଗତି ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ମିଳିତ ସରଜମିନ୍ ତଦନ୍ତ କରି ରିପୋର୍ଟ ପ୍ରଦାନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପୂର୍ବ ବୈଠକର ନିଷ୍ପତ୍ତି ହୋଇଥିଲେ ହେଁ ଭେଲୋରା ଠାରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହ ଆସନ୍ତା ୧୦ ଦିନ ମଧ୍ୟରେ ଏହା ଆରମ୍ଭ କରିବାକୁ କୁହାଯାଇଥିଲା । ୧୬ନମ୍ବର ଜାତୀୟ ରାଜପଥରେ ଗଛ କଟା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା । ବିଭିନ୍ନ ବାଇପାସ ରାସ୍ତା ଏବଂ ସର୍ଭିସ ରୋଡ୍ମାନଙ୍କର ବୁଲାଣି ଜାଗାରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କର୍ମଚାରୀଙ୍କୁ ବେଟନ୍ (ଉଜ୍ଜ୍ୱଳ ସାଇନେଜ) ସହ ମୁତୟନ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ଏହାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସ୍ତରରେ ଏହାର ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଖାଲ ଢିପ ଥିବା ସର୍ଭିସ ରୋଡ୍ ଗୁଡିକର ଯଥାଶୀଘ୍ର ମରାମତି କରାଯିବା, ହେଲମେଟ୍ ଚେକିଂ ସହ ଏବେ ସ୍କୁଲ ଖୋଲିଥିବାରୁ ନାବାଳକ ଗାଡ଼ି ଚାଳନା ଉପରେ ରୋକ୍ ଲଗାଇବା ପାଇଁ ପଦକ୍ଷେପ ନେବା ଉପରେ ସଡକ ସୁରକ୍ଷା ସମିତିର ସଦସ୍ୟମାନେ ଆଲୋକପାତ କରିଥିଲେ । ୬୦ ନମ୍ବର ଜାତୀୟ ରାଜପଥ କର୍ତ୍ତୃପକ୍ଷ ନଭେମ୍ବର ୩୦ ତାରିଖ ସୁଦ୍ଧା ୩୦ରୁ ୪୫ଟି ସ୍ଥାନରେ ସାଇନେଜ ଲଗାଇବା କାମ ସହିତ ରାସ୍ତା ମରାମତି କାମ ସାରିବେ । ସେରଗଡ଼ ପୂର୍ବରୁ ଥିବା ବାଇପାସ୍ ରାସ୍ତାର ଅବସ୍ଥା ଖରାପ ହୋଇଯାଇଥିବାରୁ ତୁରନ୍ତ ଏହାର ମରାମତି କରିବାକୁ ବୈଠକରେ ସଦସ୍ୟମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ପୋଲିସ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ମିଳିତ ବୈଠକ ଆୟୋଜନ ସହିତ ସଡ଼କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ବାଲେଶ୍ୱର ସହରରେ ପୂର୍ଣ୍ଣ ମାତ୍ରାରେ ସିସିଟିଭି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା, ନୂତନ ବ୍ଲାକସ୍ପଟ୍ ଚିହ୍ନଟ କରିବା ଇତ୍ୟାଦି ଉପରେ ବୈଠକରେ ମତପ୍ରକାଶ ପାଇଥିଲା । ଆସନ୍ତା ୭ଦିନ ମଧ୍ୟରେ ରେମୁଣା ବାଇପାସ ମରାମତି କାର୍ଯ୍ୟ ସାରିବାକୁ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା । ସେହିପରି ପ୍ରତିରକ୍ଷା ବିଭାଗ ଦ୍ୱାରା ଚାନ୍ଦିପୁର ବାଇପାସ ରାସ୍ତାର ମରାମତି ଆସନ୍ତା ୧୦ଦିନ ମଧ୍ୟରେ ସରିବା ସହ ତିନି ମାସ ମଧ୍ୟରେ ଏହାର ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅଧିକ ବେଗ, ଅଧିକ ବୋଝେଇ, ମାଲ୍ ପରିବହନ ଯାନରେ ଯାତ୍ରୀ ପରିବହନ, ଯାନ ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ନିଶା ସେବନ କରି ଗାଡି ଚାଳନା, ବିନା ହେଲମେଟ୍ରେ ଗାଡି ଚାଳନା ଆଦି ଅପରାଧ ଅଧାରରେ ଆର୍ଟିଓଙ୍କ ଦ୍ୱାରା ସେପ୍ଟେମ୍ବର ମାସରେ ୩୭୦ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୋଟ୍ ୨୨୬ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍ କରାଯାଇଛି ଏବଂ ଚଳିତ ବର୍ଷ ଜାନୁୟାରୀ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ଚିହ୍ନଟ ୪୭୫୧ ଆଇନ ଉଲ୍ଲଙ୍ଘନକାରୀଙ୍କ ମଧ୍ୟରୁ ୧୭୯୧ଜଣଙ୍କ ଲାଇସେନ୍ସ ବାତିଲ୍ ହୋଇଛି । ଦୁର୍ଘଟଣା ରିପୋର୍ଟ ଅନୁଯାୟୀ ୨୦୨୧ ମସିହା ଜାନୁୟାରୀ ରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୩୧୬ଟି ଦୁର୍ଘଟଣା ଘଟିଛି ଏବଂ ଏହି ସମୟ ମଧ୍ୟରେ ୧୬୬ ଜୀବନହାନୀ ହୋଇଛି । ସେହିପରି ୧୩୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୪୩ଜଣ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଓ ଜୀବନହାନୀ ହ୍ରାସ ପାଇଁ ସତର୍କତା ଅବଲମ୍ବନ ଓ ତତ୍ପରତାର ସହ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ଭବେଶ ନାୟକ ପରାମର୍ଶ ଦେଇଥିଲେ । ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜିତ ଦଳବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
