ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାଡ୍ ର ଚଢ଼ଉ କାର୍ ସହ ଗଞ୍ଜେଇ ଜବତ, ୨ଗିରଫ
ଧର୍ମଶାଳା : ଯାଜପୁର ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାଡ୍ ଚଢ଼ଉ କରି କାର୍ ସହ ଗଞ୍ଜେଇ ଜବତ କରିଛି । ଘଟଣାରେ ୨ଜଣଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଜିଲ୍ଲା ସ୍ପେଶାଲ ସ୍କ୍ୱାଡ୍ ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧିଛକ ନିକଟରୁ ଏକ କାରରୁ ଏହି ଗଞ୍ଜେଇକୁ ଜବତ କରିଛି । ଜବତ ଗଞ୍ଜେଇର ପରିମାଣ ୭କିଲୋରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି । ମାର୍ଶାଘାଇ ଅଂଚଳର ଗଞ୍ଜେଇ ବେପାରୀ ପ୍ରଭାତ କୁମାର ବେହେରା ଏକ କାରରେ ଫୁଲବାଣୀରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ଚୋରା ବେପାରୀଙ୍କୁ ଗଞ୍ଜେଇ ଦେଇଥାଏ । ତେବେ ଛତିଆ ଠାରୁ ଏକ ବାଇକରେ ଏହି କାରର ପିଛା କରିବା ପରେ ଚଣ୍ଡିଖୋଲ ନିକଟରେ ପୋଲିସ କାରକୁ ଅଟକାଇବା ସହ ଗଞ୍ଜେଇ ବେପାରିକୁ ମାଡି ବସିଥିଲା । ଗଞ୍ଜେଇ ପାଇଁ ସେଠାକୁ ଆସିଥିବା ସ୍ଥାନୀୟ କଂଟିଗଡ଼ିଆ ଗ୍ରାମର ସୁଶାନ୍ତ କୁମାର ରାଉତକୁ ପୋଲିସ କାବୁ କରିଥିଲା । ତେବେ ଏହି ସମୟରେ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା କଂଟିଗଡ଼ିଆ ଅଂଚଳର ଜଣେ ମହିଳା ଖସିଯିବାକୁ ସକ୍ଷମ ହୋଇଥିଲେ । ଏହି ମହିଳା ଜଣକ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମହିଳା ନେତ୍ରୀ ଥିବା ଜଣାଯାଇଛି । ଆଜି ଧର୍ମଶାଳା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କ ନିକଟରୁ ବ୍ୟବହୃତ ଏକ କାର୍, ବାଇକ ସହ ମୋବାଇଲ ଓ କିଛି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେବା ସହିତ ଧର୍ମଶାଳା ଥାନାରେ ୭୧୪/ ୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
