ଆନ୍ତଃ ଜିଲା ମେଗା ଚାମ୍ପିୟନ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଚାନ୍ଦିପୁର ବିକାଶ ମେମୋରିଆଲ କ୍ଲବ ଚାମ୍ପିୟନ
ବାହାବଳପୁର : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ବାହାବଳପୁର ୟଙ୍ଗ ଷ୍ଟାର କ୍ଲବ ଆନୁକୂଲ୍ୟରେ ଆୟୋଜିତ ୨୮ ତମ ବାର୍ଷିକ ଆନ୍ତଃ ଜିଲା ମେଗା ଚାମ୍ପିୟନ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍୍ଯାପିତ ହୋଇଯାଇଛି । ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ସୋର ଆରଏନ ସ୍ପୋର୍ଟିଂ କ୍ଲବକୁ ଏକ ଉଇକେଟରେ ପରାସ୍ତ କରି ଚାନ୍ଦିପୁର ବିକାଶ ମେମୋରିଆଲ କ୍ଲବ ଚାମ୍ପିୟନ ହୋଇଛି ।
ପ୍ରଥମେ ସୋର ଆରଏନ ସ୍ପୋର୍ଟିଂକ୍ଲବ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୫ ଓଭରରେ ୧୮୦ ରନ କରି ଅଲ ଆଉଟ ହୋଇଥିଲେ । ବ୍ୟାଟ୍ସ ମ୍ୟାନ ଭଗବାନ ବେହେରା ସର୍ବାଧିକ ୪୨ ରନ କରିଥିଲେ । ବିକାଶ କ୍ଲବର ବୋଲର ମିନାଜ ସର୍ବାଧିକ ୪ଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ବିକାଶ କ୍ଲବ ୨୩ ଓଭରରେ ୯ ଉଇକେଟ ବିନିମୟରେ ୧୮୪ ରନ କରି ଟାଇଟଲ ହାସଲ କରିଥିଲେ । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ତାଜ ଖାନ ସର୍ବାଧିକ ୬୫ ରନ କରି ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ଆମ୍ପାୟର ସଞ୍ଜୟ କୁମାର ବେରା ଓ ଦିଲ୍ଲୀପ କୁମାର ବେରା ମ୍ୟାଚ ପରିଚାଳନା କରିଥିଲେ । ସଞ୍ଜୟ ମଣ୍ଡଳ ଓ ରାମଚନ୍ଦ୍ର ବେରା ସ୍କୋରିଂ ଦାୟିତ୍ୱରେ ଥିଲେ । ପ୍ରେମଚାନ୍ଦ ପରିଡ଼ା, ସଞ୍ଜୀବ ମଣ୍ଡଳ ଓ ସୁଶାନ୍ତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ଲବ ସଭାପତି ଲକ୍ଷ୍ମୀକାନ୍ତ ବେରା ସ୍ୱାଗତ ଭାଷଣ ଦେଇଥିଲେ । ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ସଭାପତି ବିକାଶ ଦାସଙ୍କ ପୌରାହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସରପଞ୍ଚ ରାମନାରାୟଣ ଦିବେଦୀ ଓ ସମ୍ମାନିତ ଅତିଥି ପ୍ରାକ୍ତନ ସରପଞ୍ଚ ଗୟାପ୍ରସାଦ ଦାସ, ସଂଘର ପୂର୍ବତନ ସମ୍ପାଦକ ଗୋରାଚାନ୍ଦ ଜେନା, ମେରାଇନ ଥାନା ଓଆଇସି ସଚ୍ଚିଦାନନ୍ଦ ଗିରି, ସରପଞ୍ଚ ପ୍ରବୀର ସାହୁ, ପ୍ରେସ କ୍ଲବ ସଭାପତି ବାଞ୍ଛାନିଧି ଦେ, ସମାଜସେବୀ ବିଜୟାନନ୍ଦ ସ୍ୱାଇଁ, ସମିତିସଭ୍ୟ ଗଣେଶ ଜେନା, ଶ୍ରୀକୃଷ୍ଣ ଗିରି, କ୍ରୀଡ଼ା ସମ୍ପାଦକ ବିବେକ ଦାସ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଟିମକୁ ନଗଦ ୧୦ ହଜାର ଓ ରନର୍ସ ଅପ ଟିମକୁ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । କ୍ଲବ ସମ୍ପାଦକ ଅବନ୍ତୀ ବେରା ଟୁର୍ଣ୍ଣାମେଣ୍ଟ ବିବରଣୀ ପାଠ କରିଥିଲେ ।
