ବାରିପଦା ଠାରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ଜଳର ଶତପ୍ରତିଶତ ଉପଯୋଗ କରିବାକୁ ଚାଷୀଙ୍କୁ ପରାମର୍ଶ
ବାରିପଦା : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ଚଳିତ ଫେବୃଆରୀ ମାସ ୧ ତାରିଖ ଠାରୁ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପ୍ରୟାସ ହଲ ଠାରେ ମୟୁରଭଂଜ ଜଳସେଚନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ ହୋଇଯାଇଛି । ଅତିଥି ଭାବରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ତରଣୀ ସେନ ଧଳ ଅନ୍ୟାନ୍ୟ ଅତିଥିଙ୍କ ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟ ରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ସଭାପତି ଭାରତୀ ହାଁସଦା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ମୋରଡା ବିଧାୟକ ରାଜକିଶୋର ଦାସ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଶ୍ୟାମାଖୁଂଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ, ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼. ଦୀପକ କୁମାର ମହାନ୍ତି, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସର୍ବେଶ୍ୱର ସେନାପତି, ଅଧିକ୍ଷଣ ଯନ୍ତ୍ରୀ ପ୍ରସାଦ ରଂଜନ ପଣ୍ଡା, ଜଳବିଭିଜିକାର ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାଲୋ ପ୍ରମୁଖ ଯୋଗ ଦେଇ ଚାଷ ପାଇଁ ଯୋଗାଇ ଦିଆ ଯାଉଥିବା ଜଳର ଗୋଟିଏ ବୁନ୍ଦା ଯେମିତି କୌଣସି ପରିସ୍ଥିତି ରେ ଚାଷୀ ଙ୍କ ଦ୍ୱାରା ଅପବ୍ୟବହାର ନହୋଇ କୃଷିକ୍ଷେତ ରେ ଶସ୍ୟ ଉତ୍ପାଦନ ନିମନ୍ତେ ଶତ ପ୍ରତି ଶତ ସଠିକ ଉପଯୋଗ ହେବ ସେ ସମ୍ଭନ୍ଧ ରେ ଚାଷୀ ମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସଫଳ ଚାଷୀ ଯଜ୍ଞ ମହାନ୍ତି ପାଣି ପଂଚାୟତର ଉପକାରିତା ବିଷୟରେ ତାଙ୍କର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ, ଡ୍ରଇଂ, କୁଇଜ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିବା ସହ କିଛି ଅଗ୍ରଣୀ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ରେ ଜଳସେଚନ ବିଭାଗ ର ପଦାଧିକାରୀ ଓ କର୍ମଚାରୀ, ବିଭିନ୍ନ ପାଣି ପଂଚାୟତ ର ଚାଷୀ ବୃନ୍ଦ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ବିଭିନ୍ନ ଗଣମାଧ୍ୟମ ର ପ୍ରତନିଧି ମାନେ ଉପସ୍ଥିତ ଥିଲେ । ଇଂ. ମନୋଜ ଦଳବେହେରା ମଂଚ ପରିଚାଳନା କରିଥବା ବେଳେ ଅଧିକ୍ଷଣ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଇଂ ଗୁଣାକର ଖମାରୀ, ଇଂ ପ୍ରଭାତ କୁମାର ସେଠି, ଚନ୍ଦ୍ରମୋହନ ହାଁସଦା, ଜଗଦିଶ ଦାଶ, ଅମିତାଭ ଦାସ, ହାଡିବନ୍ଧୁ ବେହେରା, ସୁଧାଂଶୁ ଦାସ ଓ ଗଜେନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ, ଆୟୋଜିତ ପାଣି ପଂଚାୟତ ସମ୍ପର୍କିତ ପ୍ରଦର୍ଶନୀ ମଣ୍ଡପ ଗୁଡିକୁ ନିମନ୍ତ୍ରିତ ଅତିଥି ମାନେ ବୁଲି ଦେଖିଥିଲେ ।
