ନୂତନ ଗୋଶାଳା ଓ ପ୍ରାଣୀ ଆମ୍ବୁଲାନ୍ସ ସେବା ନିମନ୍ତେ ଜିଲାସ୍ତରୀୟ ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ପ୍ରାଣୀ ସେବା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତି ନିମନ୍ତେ ଏକ ଜିଲାସ୍ତରୀୟ ବୈଠକ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ ନୂତନ ଗୋଶାଳା ପ୍ରତିଷ୍ଠା, ଗୋଶାଳାର ବିକାଶ, ପ୍ରାଣୀ ସେବା ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର, ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିରୀକୃତ ହୋଇଥିଲା ।
ବିଶେଷ କରି ଗୋଶାଳା ପ୍ରତିଷ୍ଠା ଓ ବିକାଶ ପାଇଁ ଆବେଦନ କରିଥିବା ବେସରକାରୀ ଅନୁଷ୍ଠାନ(ଏନଜିଓ)ମାନଙ୍କର ଆବେଦନ ଉପରେ ବିଚାର କରାଯାଇ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ନାମ ସୁପାରିଶ୍ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲାର ପ୍ରାଣୀ ଆମ୍ବୁଲାନ୍ସ ସେବା ଏବଂ ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ଓ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଢଙ୍ଗରେ ତୁରନ୍ତ ଆରମ୍ଭ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥିପାଇଁ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ସହ କର୍ମଚାରୀଙ୍କୁ ନିୟୋଜିତ କରି ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲା ମୁଖ୍ୟ କୃଷି ଅଧିକାରୀ ନିକୁଞ୍ଜ କିଶୋର ରାଉତ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ, ଜୀବମଙ୍ଗଳ କର୍ମକର୍ତ୍ତା, ରେମୁଣା ଓ ସୋର ଗୋଶାଳାର ସମ୍ପାଦକ ଉପସ୍ଥିତ ଥିଲେ । ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ଜୀବ ମଙ୍ଗଳ) ଡା. ଅଜିତ କୁମାର ସାମଲ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀଧନ ଉତ୍ପାଦନ) ଡା. ରଞ୍ଜନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
