ବାଲେଶ୍ୱର : ବ୍ୟାଙ୍କର୍ସମାନଙ୍କୁ ନେଇ ଜିଲାସ୍ତରୀୟ ଡିସିସି ବୈଠକ
ବାଲେଶ୍ୱର : ବାଲେଶ୍ୱର ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସମ୍ମିଳନୀ ଗୃହରେ ଶୁକ୍ରବାର ଅପରାହ୍ନରେ ଡିଷ୍ଟ୍ରିକ୍ଟ କନସଲଟାଟିଭ କମିଟି (ଡିସିସି) ମିଟିଂ ଅନୁଷ୍ଠିତ ହୋଇଯାଇଛି । ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ପ୍ରୋବେସନର ଆଇଏଏସ୍ ଅଧିକାରୀ କୁନାଲ ଚୌହାନ, ଆର୍ବିଆଇର ଏଲଡିଓ ଅଧିକାରୀ ସନ୍ତୋଷ କୁମାର ପଟ୍ଟନାୟକ, ନାବାର୍ଡ଼ର ଡିଡିଏମ ତାପସ ରଞ୍ଜନ ପ୍ରଧାନ, ବାଲେଶ୍ୱରର ଏଲଡିଏମ୍ ସୁଦୀପ ଡାକୁଆ ପ୍ରମୁଖ ବୈଠକରେ ଯୋଗ ଦେଇଥିଲା ବେଳେ ସମ୍ପୃକ୍ତ ସରକାରୀ ବିଭାଗୀୟ ଅଧିକାରୀ ଓ ବାଲେଶ୍ୱରର ସମସ୍ତ ବ୍ୟାଙ୍କର ପରିଚାଳକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଅନେକ ସରକାରୀ ଯୋଜନା ସଫଳ ହେବା ଦିଗରେ ବ୍ୟାଙ୍କମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜିଲାପାଳ ଆଲୋକପାତ କରିଥିଲେ । ବିଶେଷ କରି କୃଷି, ମତ୍ସ୍ୟ, ଗୋପାଳନ, କୁକୁଡା ଫାର୍ମ, ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ଯୋଜନା, ଉଚ୍ଚଶିକ୍ଷା ଆଦି ଦିଗରେ ବ୍ୟାଙ୍କମାନଙ୍କ ଜରିଆରେ ସରକାରଙ୍କର ଥିବା ଋଣ ପ୍ରଦାନ ବ୍ୟବସ୍ଥା ପାଇଁ ଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନ ହେଲେ ବିକାଶ ବାଧାପ୍ରାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ । ଭୂମିହୀନ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନାରେ ଅଦ୍ୟାବଧି ଆଖିଦୃଶିଆ ସଫଳତା ମିଳି ନ ଥିବାରୁ ସେ ପ୍ରତି ଗୁରୁତ୍ୱ ଦେବାକୁ ପ୍ରବର୍ତ୍ତାଇ ଥିଲେ ।
ସୂଚନା ଯେ, ବାଲେଶ୍ୱର ଜିଲା ପାଇଁ ଅଦ୍ୟାବଧି ଜାତୀୟକରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ, ଜିଲା କୋ-ଅପରେଟିଭ ବ୍ୟାଙ୍କ ଆଦି ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ମିଶି ସମୁଦାୟ ୨୫୧ଟି ବ୍ୟାଙ୍କ କାର୍ଯ୍ୟ କରୁଛି । ବୈଠକରେ ଗ୍ରାମାଞ୍ଚଳରେ ବ୍ୟାଙ୍କଗୁଡ଼ିକର ଅବସ୍ଥିତି, ଜମା ଋଣ ଓ ସରକାରୀ ଯୋଜନା କାର୍ଯ୍ୟକାରିତାରେ ବ୍ୟାଙ୍କମାନଙ୍କର ପ୍ରଦର୍ଶନ, ବକେୟା ଆଦାୟ, ଏସ୍ଏଚ୍ଜି ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜ୍, ମିଶନ୍ ଶକ୍ତି, ପିଏମ୍ଇଜିପି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବାର୍ଷିକ କ୍ରେଡିଟ୍ ଯୋଜନା ୨୦୨୧-୨୨ ବୁକଲେଟ୍ ଜିଲାପାଳଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ବାଲେଶ୍ୱର ଜିଲା ପାଇଁ ଲିଡ୍ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଥିବା ୟୁକୋ ବ୍ୟାଙ୍କ, ବାଲେଶ୍ୱର ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା ଏବଂ ଆଗାମୀ ଦିନ ପାଇଁ ଏଥିରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ ପାଇଁ ସମସ୍ତ ଶାଖା ଚେଷ୍ଟିତ ରହିବାକୁ ପରାମର୍ଶ ଦିଆଯାଇଥିଲା ।
