ଜୁଲାଇ ୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଜିଲାସ୍ତରୀୟ କନ୍ଭେନ୍ସନ୍
ବାଲେଶ୍ୱର : ଆସନ୍ତା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଜାତୀୟ ଫେଡେରେସନ୍ମାନଙ୍କର ମିଳିତ ସମାବେଶକୁ ସଫଳ କରିବାପାଇଁ ବାଲେଶ୍ୱରରେ ଜିଲ୍ଲା ସ୍ତରୀୟ କନ୍ଭେନ୍ସନ୍ ଆସନ୍ତା ଜୁଲାଇ ୨ତାରିଖ ରବିବାର ଦିନ ୧୦ଟାରେ ଅନୁଷ୍ଠିତ ହେବ । ଜିଲ୍ଳାସ୍ତରୀୟ କନ୍ଭେନସନ୍ ଓ ରାଜ୍ୟସ୍ତରୀୟ ମହାସମାବେଶକୁ ସଫଳ କରିବା ପାଇଁ ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ସଂଘର ସଭାଗୃହରେ ଶୁକ୍ରବାର ଦିନ ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକର ଆବାହକ ବିଜୟ ପାତ୍ର କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧି ଶ୍ରମ ଆଇନ ବିରୁଦ୍ଧରେ ଓ ଏହି ଆଇନକୁ ରାଜ୍ୟ ସରକାରଙ୍କ ସମର୍ଥନକୁ ଦୃଢ଼ ବିରୋଧ କରି ଆଗାମୀ ମିଳିତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମତପ୍ରଦାନ କରିଥିଲେ ।
କେନ୍ଦ୍ର ସରକାରଙ୍କର ଶ୍ରମିକ ବିରୋଧି ୪ଟି ଶ୍ରମ କୋଡ଼୍କୁ ବାତିଲ କରିବା, ପ୍ରତିରକ୍ଷା ସେବା ଆଇନ ଓ ବିଦ୍ୟୁତ୍ ସଂଶୋଧନ ଆଇନକୁ ବାତିଲ କରିବା, ସରକାରୀ ସଂପତ୍ତିକୁ ଘରୋଇକରଣ ବନ୍ଦ କରିବା, ସ୍କିମ୍ ୱାର୍କରସଙ୍କୁ ସରକାରୀ ଚାକିରିମାନ୍ୟତା ପ୍ରଦାନ, ଖାଲିଥିବା ସମସ୍ତ ସରକାରୀ ପଦବୀ ପୂରଣ କରିବା, ଠିକା ଶ୍ରମିକ ନିଯୁକ୍ତି ବନ୍ଦ କରିବା, ବେକାରମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ମନେରେଗା ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ଛଅଶହ ଟଙ୍କା ମଜୁରୀ, ପୁରୁଣା ପେନ୍ସନ୍ ଆଇନ୍ ଲାଗୁ କରିବା, ଇପିଏଫ୍ ପେନସନ୍ଭୋଗୀଙ୍କୁ ମାସିକ ନଅହଜାର ଟଙ୍କା ଓ ମହଙ୍ଗା ଭତ୍ତା ପ୍ରଦାନ, ପ୍ରଚଳିତ ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା, ବନ୍ଦ କଳକାରଖାନା କାର୍ଯ୍ୟକ୍ଷମ କରିବା, କୃଷକ ମୋର୍ଚ୍ଚାର ଛଅଦଫା ଦାବି ପୂରଣ କରିବା ପ୍ରଭୃତି ଦାବି କରାଯାଇଛି ।
ଏହି ବୈଠକରେ ଏଆଇଟିୟୁସି, ସିଆଇଟିୟୁ, ଆଇଏନ୍ଟିୟୁସି, ଏଚ୍ଏମ୍ଏସ୍, ଟିୟୁସିସି ଓ ଏଆଇୟୁଟିସି ପ୍ରଭୃତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ସର୍ବେଶ୍ୱର ମିଶ୍ର, ଭରତ ଚନ୍ଦ୍ର ସେଠୀ, ଉମାକାନ୍ତ ଦାସ, ଶରତ ଚନ୍ଦ୍ର ଦଳାଇ, ଅରୁଣ ସ୍ୱାଇଁ, ସୁରେଶ ଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ ।
