ଜୁନ ମାସ ପାଇଁ ହିତାଧିକାରୀମାନଙ୍କୁ ଶୁଖିଲା ରାସନ୍ ବଂଟନ
- ରାଜ୍ୟର ପ୍ରାୟ ୪୧ ଲକ୍ଷ ହିତାଧିକାରୀଙ୍କ ସମେତ ୨୧୧୮ ଜଣ ପ୍ରବାସୀ ମହିଳା ଓ ଶିଶୁ ଉପକୃତ
ଭୁବନେଶ୍ୱର : କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ସମନ୍ୱିତ ଶିଶୁବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି । ଏହାସତ୍ୱେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିସାଧନ ଯେଭଳି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ହିତାଧିକାରୀମାନଙ୍କ ଘରେ ଟେକ୍ ହୋମ୍ ରାସନ ପହଂଚାଇ ଦିଆଯାଉଛି । ଚଳିତ ଜୁନ୍ ମାସ ପାଇଁ ରାଜ୍ୟର ସମସ୍ତ ପ୍ରକଳ୍ପରେ ଶୁଖିଲା ରାସନ ବଂଟନ କରାଯାଇଛି । ଅଙ୍ଗନବାଡ଼ି କର୍ମୀମାନେ କୋଭିଡ୍ ପ୍ରୋଟୋକଲ ପାଳନପୂର୍ବକ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଂଟନ କରିଛନ୍ତି । ଅଙ୍ଗନବାଡ଼ିକୁ ଆସୁଥିବା ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ଅଙ୍ଗନବାଡ଼ିରେ ଦିଆଯାଉଥିବା ରନ୍ଧାଖାଦ୍ୟ ପରିବର୍ତେ ଶୁଖିଲା ରାସନ ମଧ୍ୟ ଘରେ ଯୋଗାଇ ଦିଆଯାଇଛି । ଗୁରୁତର ପୁଷ୍ଟିହୀନ ଶିଶୁ(ସାମ୍) ଏବଂ ଅତିଶୟ ପୁଷ୍ଟିହୀନ ଶିଶୁ(ମାମ୍)ମାନଙ୍କ ପୁଷ୍ଟିସାଧନ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ଶୁଖିଲା ରାସନ୍ରେ ପୁଷ୍ଟିସାଧନର ସନ୍ତୁଳନ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛତୁଆ, ପନିପରିବା, ଅଣ୍ଡା, ବାଦାମ ଲଡ଼ୁ ଓ ଚିକି ଆଦି ସମନ୍ୱିତ ପରିମାଣରେ ଦିଆଯାଉଛି । ହିତାଧିକାରୀମାନେ ଯେଭଳି ସେସବୁ ଜିନିଷ ନିଜ ଖାଦ୍ୟ ପାଇଁ ବ୍ୟବହାର କରିପାରିବେ ସେ ସଂପର୍କରେ ଅଙ୍ଗନବାଡ଼ି କର୍ମୀମାନେ ପରାମର୍ଶ ଦେଉଛନ୍ତି ।
ଏହି ଯୋଜନାରେ ରାଜ୍ୟର ୬,୮୯,୬୩୯ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୧୭,୧୬,୫୦୭ ଶିଶୁ ଏବଂ ୩ ବର୍ଷରୁ ୬ ବର୍ଷ ବୟସର ୧୬,୭୭,୨୨୬ ଜଣ ଶିଶୁଙ୍କ ସମେତ ୪୦,୮୩,୩୭୨ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି । ଓଡ଼ିଶାକୁ ଫେରିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଙ୍ଗନବାଡ଼ିରେ ପଂଜୀକରଣ ମାଧ୍ୟମରେ ଶୁଖିଲା ରାସନ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ୮୪୪ ଜଣ ଗର୍ଭବତୀ ଓ ପ୍ରସୂତୀ ମହିଳା, ୬ ମାସରୁ ୩ ବର୍ଷ ବୟସର ୫୧୯ ଏବଂ ୩ରୁ ୬ ବର୍ଷ ବୟସର ୭୫୫ ଶିଶୁଙ୍କ ସମେତ ୨୧୧୮ ପ୍ରବାସୀ ମହିଳା ଓ ଶିଶୁଙ୍କୁ ଏ ପର୍ଯ୍ୟନ୍ତ ଟେକ୍ହୋମ୍ ରାସନ୍ ବଂଟନ କରାଯାଇଛି । ପ୍ରକାଶ ଥାଉ କି, ପ୍ରତି ମାସର ୧ ତାରିଖରେ ହିତାଧିକାରୀମାନଙ୍କୁ ଶୁଖିଲା ରାସନ ବଂଟନ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହି ବ୍ୟବସ୍ଥା ଅନୁଯାୟୀ ମହାମାରୀର କଠିନ ପରିସ୍ଥିତି ଜାରି ରହିଥିଲେ ମଧ୍ୟ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀମାନଙ୍କ ଘରେ ଏହି ରାସନ ବଣ୍ଟନ କରୁଛନ୍ତି, ଯାହାଦ୍ୱାରା“ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିଛି ।
