ମୁକୁଳିସି ସମବାୟ ସମିତିରେ ଧାନ କିଣାକୁ ନେଇ ଅସନ୍ତୋଷ, ଚାଷୀଙ୍କ ବିକ୍ଷୋଭ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ମୁକୁଳିସି ସମବାୟ ସମିତିରେ ଧାନ କିଣାକୁ ନେଇ ଅସନ୍ତୋଷ ଦେଖାଦେଇଛି । ମିଲରଙ୍କ ମନଇଚ୍ଛା କ୍ୱିଣ୍ଟାଲ ପ୍ରତି ୮ରୁ ୧୦କେଜି ଧାନ କଟ୍ନୀ ଛଟ୍ନୀକୁ ଚାଷୀମାନେ ବିରୋଧ କରିଛନ୍ତି । ଧାନରେ ଆର୍ଦ୍ରତା ପାଇଁ ୧୭%, ଅଗାଡ଼ି ପାଇଁ ୩%, ଧୂଳିମାଟି ପାଇଁ ୧% ଓ ଅନ୍ୟାନ୍ୟ ପାଇଁ ୫% କୋହଳ ନିୟମ ଥିବାବେଳେ ଠିକ୍ମାନର ଧାନରେ ଜବରଦସ୍ତ କଟ୍ନୀ ଛଟ୍ନୀ ହେବାରୁ ଚାଷୀମାନେ ସମିତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରମାଦେବୀ ରାଇସ୍ ମିଲ୍ ଗୁରୁବାର ଏହି ସମିତିକୁ ଧାନ କ୍ରୟ ପାଇଁ ଆସିଥିଲେ । ସକାଳ ଠାରୁ ଟୋକନ୍ ଧରି ଚାଷୀମାନେ ସମିତିରେ ଧାନ ନେଇ ଉପସ୍ଥିତ ଥିଲେ । କଟ୍ନୀ ଛଟ୍ନୀକୁ ବିରୋଧ ହେବାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମିଲର ଧାନ ନ କିଣି ବିଭିନ୍ନ ଆଳ ଦେଖାଇଥିଲେ । ଯଦି କ୍ୱିଣ୍ଟାଲ ପ୍ରତି ୮ରୁ ୧୦ କେଜି କଟାଯାଏ ତେବେ ଧାନ କିଣାଯିବ ବୋଲି ମିଲର କହିଥିଲେ । ଫଳରେ ଧାନ କିଣା ବନ୍ଦ ରହିବା ଯୋଗୁଁ ଚାଷୀମାନେ ଉତ୍ତେଜିତ ହୋଇ ସମିତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯଦି ଠିକ୍ ଭାବେ ସମିତିରେ ଧାନ କ୍ରୟ ନ ହୁଏ ତେବେ ଆନ୍ଦୋଳନ ଜୋରଦାର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
