ବିଭ୍ରାନ୍ତିକର ତଥ୍ୟ ଦେଇ ଅର୍ଥ ଆଦାୟ ଖଣି ଅଞ୍ଚଳରେ ବଢୁଛି ଅସନ୍ତୋଷ
ଖଇରା : ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ରାଜସ୍ୱ ଓ ବର୍ତ୍ତନା ରାଜସ୍ୱ କ୍ଷେତ୍ର ଅଧୀନରେ ପୁର୍ବରୁ ଖଣି ବ୍ୟବହାର କରୁଥିବା ଲିଜଧାରୀଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ପୂର୍ବକ ବେଆଇନ ଅର୍ଥ ଆଦାୟ କୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଏକ ଗୋଷ୍ଠୀ ନେତା ପ୍ରଶାସନକୁ ଧରି ଖଣି ଚଲାଇଦେବେ ବୋଲି କହି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି । କିଛି ଖଣି ମାଲିକ ଏହାକୁ ସହଜ ଭାବେ ଗ୍ରହଣ କରି ଅର୍ଥ ପ୍ରଦାନ କରୁଥିବା ବେଳେ ଆଉକିଛି ଖଣି ନିଲାମଧାରୀ ଭୟଭୀତ ହୋଇ ଅର୍ଥ ପ୍ରଦାନ କରୁଛନ୍ତି । ହେଲେ ସେମାନେ ନିଜ ନାମ ଗୋପନ ରଖି ବେଆଇନ ଭାବରେ ଏହି ଅର୍ଥ ଆଦାୟ କୁ ବନ୍ଦ କରିବାକୁ ଦାବୀ କରିଛନ୍ତି । ଜାତୀୟ ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ଠିକଭାବେ ଅନୁଶୀଳନ କରିବା ପରିବର୍ତ୍ତେ ୨୦୧୯ମସିହାରେ ତତ୍କାଳୀନ ତହସିଲଦାର ଖଣି ଖୋଳାକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିବା ସହ ୧୪୪ଧାରା ଜାରି କରିଥିଲେ । ଏବେ ନିକଟରେ ରାଜସ୍ୱ ଓ ନିଜସ୍ୱ ଯାଗା ଚିହ୍ନଟ କରି ହାଲିଚଲାପଥ ପାଇଁ ରାସ୍ତା ଛାଡି ରାଜସ୍ୱ ଜମିରେ ଥିବା ଖଣି ଗୁଡିକ ବ୍ୟବହାର କରିବାକୁ ମୟୁରଭଞ୍ଜ ଓ ବାଲେଶ୍ୱର ଡିଏଫଓ ସ୍ତରରେ ରିପୋର୍ଟ ରାଜ୍ୟ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ପଠାଯାଇଛି । ସେଠାରୁ ଅନୁମତି ପରେ କେନ୍ଦ୍ରୀୟ ବନ୍ୟଜନ୍ତୁ ସୁରକ୍ଷା ପରିଷଦ ର ଅନୁମତି ପରେ ଖଣି ଚାଲିପାରେ । ଏଥିପାଇଁ ପ୍ରଶାସନ ସ୍ତରରେ ବିଧିବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ ହେବ ଏବଂ ସମୟ ସାପେକ୍ଷ । ହେଲେ ଏହାକୁ ଆୟୁଧ କରି ଖଣି ଲିଜଧାରିଙ୍କୁ ଭୁଲତଥ୍ୟ ଦେଇ କିଛି ବ୍ୟକ୍ତି ବ୍ୟାପକ ଅର୍ଥ ଆଦାୟ କରୁଛନ୍ତି । ଅନ୍ୟୁନ ୬୦ ଖଣି ଲିଜଧାରୀଙ୍କ ନିକଟରୁ ୬ହଜାର ଲେଖାଏଁ,ପ୍ରତ୍ୟେକ ଟ୍ରାକ୍ଟର ମାଲିକଙ୍କ ନିକଟରୁ ୫ଶହ ଲେଖାଏଁଏବଂ କ୍ରସର ମାଲିକଙ୍କ ନିକଟରୁ ୨୫ହଜାର ଲେଖାଏଁ କରି ଆଦାୟ କରାଯାଉଥିବାର ଅଭିଯୋଗ ହୋଇଛି । ଯେଉଁମାନେ ନଦେବେ ସେମାନଙ୍କର ଖଣି ଲିଜ ବାତିଲ କରାଯିବା ବୋଲି ମଧ୍ୟ ଚେତାବନୀ ଦିଆଯାଉଥିବାର ବହୁ ଖଣି ଲିଜଧାରୀ ଅଭି୍େଯାଗ କରିଛନ୍ତି । ଏହା ବନ୍ଦ କରିବା ସହ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଦାବୀ ହୋଇଛି ।
