ନିର୍ଭୁଲ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ଜିଲାପାଳମାନଙ୍କ ସହ ଆଲୋଚନା
ଭୁବନେଶ୍ୱର : ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଏବଂ ଶୃଙ୍ଖଳିତ ପଂଚାୟତ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲାପାଳ ଓ ବିଡ଼ିଓମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିଶନର ରାଜ୍ୟରେ ଶୃଙ୍ଖଳିତ ପଂଚାୟତ ନିର୍ବାଚନ ଲାଗି ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲାପାଳ ଓ ବିଡ଼ିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥି ସହିତ ୱାର୍ଡରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ସହିତ ଅଯୋଗ୍ୟ ଭୋଟର ଯେପରି ତାଲିକାରେ ଅନ୍ତର୍ଭୁକ୍ତ ନହୁଅନ୍ତି ସେଥିପ୍ରତି ସଜାଗ ରହିବା ଉପରେ କମିଶନର ସମସ୍ତ ଜିଲାପାଳ ଓ ବିଡ଼ିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବିଧାନସଭା ଭୋଟର ତାଲିକାରୁ ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତିବେଳେ ଯେପରି କୌଣସି ଭୋଟର ବାଦ ନପଡ଼ନ୍ତି କିମ୍ବା ଜଣଙ୍କ ନାମ ଏକାଧିକବାର ଭୋଟର ତାଲିକାରେ ସ୍ଥାନ ନପାଏ ସେଥିପ୍ରତି ଧ୍ୟାନ ଦେବାକୁ କମିଶନର ବୈଠକରେ ପରାମର୍ଶ ଦେଇଛନ୍ତି । ବରଗଡ଼, ବଲାଙ୍ଗୀର, ଗଜପତି, ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଏବଂ ନୂଆପଡ଼ା ଆଦି ୭ଟି ଜିଲା ନଭେମ୍ବର ୩୦ ତାରିଖ ସୁଦ୍ଧା ତେଲେଙ୍ଗାନା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭୋଟବାକ୍ସ ସଂଗ୍ରହ କରିବାକୁ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଜିଲ୍ଲାରେ ଭୋଟଗଣତି କେନ୍ଦ୍ରର ସ୍ଥିତି ସଂପର୍କରେ ଜଣାଇବା ନେଇ ବୈଠକରେ କମିଶନର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ଭୋଟବାକ୍ସ ମରାମତି ଓ କଲରିଂ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଅସ୍ଥାୟୀ କେନ୍ଦ୍ର ଚିହ୍ନଟ ଆଦି ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ସୂଚନା ଯେ, ରାଜ୍ୟ ନିର୍ବାଚନ କମିଶନର ୱାର୍ଡୱାରୀ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ଆଜିର ଏହି ଭିଡ଼ିଓ କନ୍ଫରେନ୍ସିଂରେ ସମସ୍ତ ଜିଲାର ଜିଲାପାଳ ଓ ବିଡ଼ିଓ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଚିବ ରବିନ୍ଦ୍ରନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର. ଆୟାର ଏବଂ ଉପସଚିବ ଅଜାଦ୍ ହିନ୍ଦ୍ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
