ପ୍ରିକସନ ଡୋଜ ନେବାକୁ ଅନୁରୋଧ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : କରୋନା ସଂକ୍ରମଣ କମିଥିବାରୁ ପ୍ରିକସନ୍ ଡୋଜ୍ ନେବା ପାଇଁ ଲୋକଙ୍କର ଆଗ୍ରହ ଦେଖିବାକୁ ମିଳୁନି । ଫଳରେ ପ୍ରିକସନ ଡୋଜ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ, ପ୍ରିକସନ ଡୋଜ ନେବା ପାଇଁ ରାଜ୍ୟରେ ଲୋକଙ୍କ ଆଗ୍ରହ ନାହିଁ । ସଂକ୍ରମଣ କମୁଥିବାରୁ ଲୋକ ଢ଼ିଲା ହେଉଛନ୍ତି । ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପ୍ରିକସନ ଡୋଜ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭% ଲୋକ ପ୍ରିକସନ ଡୋଜ ନେଇଛନ୍ତି । ୫୯ ଲକ୍ଷ ୪୨ ହଜାର ୭୯୬ ଜଣଙ୍କୁ ପ୍ରିକସନ ଡୋଜ ଦେବାକୁ ଟାର୍ଗେଟ ରଖାଯାଇଥିବା କହିଛନ୍ତି ।
ଅନ୍ୟପକ୍ଷରେ କରୋନା ଚତୁର୍ଥ ଲହର ଆସିବା ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କହିଛନ୍ତି, ଦିଲ୍ଲୀ, ହରିୟାଣା ଭଳି ରାଜ୍ୟରେ କରୋନା ସଂକ୍ରମଣ ଟିକେ ବଢିଥିଲେ ବି ଓଡ଼ିଶାରେ ସ୍ଥିତି ଭଲ ରହିଛି । କିନ୍ତୁ ମାସ୍କ ପିନ୍ଧିବା କଟକଣା ରହୁ । ଭିଡ ସ୍ଥାନକୁ ଗଲେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
