ଧନିତ୍ରୀ ସମବାୟ ସମିତି ସମ୍ପାଦକ ନିଲମ୍ବିତ
କାକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧନିତ୍ରୀ ସମବାୟ ସମିତି ସମ୍ପାଦକଙ୍କୁ କାର୍ଯ୍ୟରେ ଅନିୟମିତତା କରିଥିବା ଅଭିଯୋଗରେ ସୋମବାର ନିଲମ୍ବିତ କରାଯାଇଛି । ଏନେଇ ପୁରୀ ଜିଲ୍ଲା ସମବାୟ ସମିତି ଅତିରିକ୍ତ ନିବନ୍ଧକ ସୋମବାର ଚିଠି ନମ୍ବର୍ ୯୧୨/୧୦.୦୪.୨୦୨୩ ଅନୁଯାୟୀ ଧନିତ୍ରୀ ସମବାୟ ସମିତି ସମ୍ପାଦକ ଥିବା ଶ୍ରୀଯୁକ୍ତ ବିଷ୍ଣୁ ଚରଣ ବେହୁରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଶ୍ରୀଯୁକ୍ତ ବେହୁରାଙ୍କ ବିରୁଦ୍ଧରେ ଗ୍ରାମବାସୀ ଓ ଚାଷୀଙ୍କ ପକ୍ଷରୁ ରାଜ୍ୟ ସମବାୟ ସମିତି ନିବନ୍ଧକ ଭୁବନେଶ୍ୱର କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ସମିତି ସମ୍ପାଦକ ପଦ ପାଇଁ ନକଲି ମାଟ୍ରିକ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଦେଇଥିବା ସହ ଅନେକ ଚାଷୀଙ୍କ ଲୋନ ଟଙ୍କା ଓ ବୀମା ରାଶି ଅର୍ଥ ହଡପ କରିବା ଓ ଅନିୟମିତତା କରିଥିବା ନେଇ ସ୍ଥାନୀୟ ଚାଷୀ ମାନେ ଅଭିଯୋଗ କରିଥିଲେ । ଦୁର୍ଯ୍ୟୋଧନ ମହାନ୍ତି, ଶଙ୍କର ଭୂୟାଁ, ପୂର୍ବତନ ସରପଞ୍ଚ ଭୀମସେନ ସେଠୀ, ବିଶିଷ୍ଟ ସମାଜସେବୀ ଓ ନେତା କୈଳାସ ଲେଙ୍କାଙ୍କ ସମେତ ଶତାଧିକ ଚାଷୀ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତିକରି ରାଜ୍ୟ ସମବାୟ ସମିତି ନିବନ୍ଧକ ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ସମବାୟ ସମିତି ଅତିରିକ୍ତ ନିବନ୍ଧକଙ୍କୁ ଶ୍ରୀଯୁକ୍ତ ବେହୁରାଙ୍କୁ ନିଲମ୍ବନ କରିବା ପାଇଁ ଗତ ୦୭.୦୫.୨୩ ରେ ଚିଠି ନମ୍ବର୍ ୨୮୫୮ରେ ନିର୍ଦେଶ ଦେଇଥିଲେ । ନିର୍ଦେଶ ଅନୁଯାୟୀ ସୋମବାର ଏନେଇ ପୁରୀ ସମବାୟ ସମିତି ଅତିରିକ୍ତ ନିବନ୍ଧକ ଶ୍ରୀଯୁକ୍ତ ବେହୂରାଙ୍କୁ କାର୍ଯ୍ୟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । ତାଙ୍କ ସ୍ଥାନରେ ସମିତି ଦାଇତ୍ୱ କୁଣ୍ଡେଇ ସମିତି ସଂପାଦକ ଅଲେଖ ଚଦ୍ର ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ବେଳେ ନିଲମ୍ବିତ ହୋଇଥିବା ଶ୍ରୀଯୁକ୍ତ ବେହୂରାଙ୍କୁ ବ୍ଳକ୍ ମୂଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି ।
