ଡିସେମ୍ବର ୩୧ରେ ଅବସର ନେବେ ଡିଜିପି ଅଭୟ
ଭୁବନେଶ୍ୱର : ନୂଆବର୍ଷରେ ଓଡ଼ିଶା ପାଇବ ନୂଆ ପୋଲିସ ଡିଜି । ଆସନ୍ତା ଡିସେମ୍ବର ୩୧ରେ ବର୍ତମାନର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଚାକିରିରୁ ଅବସର ନେବେ । ଅଭୟଙ୍କ ଅବସର ନେଇ ବୁଧବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଅଭୟଙ୍କ ପରେ ରାଜ୍ୟର ପରବର୍ତୀ ଡିଜି କିଏ ହେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପରବର୍ତୀ ଡିଜିପି ପାଇଁ ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି । ସେଥିରେ ରହିଛି ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ପରି ନାଁ । ସେମାନଙ୍କ ଭିତରୁ ତିନି ଜଣଙ୍କୁ ୟୁପିଏସ୍ସି ବାଛିବେ । ସେମାନଙ୍କ ଭିତରୁ ଜଣଙ୍କୁ ରାଜ୍ୟ ସରକାର ଡିଜିପି ଦାୟିତ୍ୱ ଦେବେ ।
ସୂଚନାଯୋଗ୍ୟ, ୧୯୮୬ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଶ୍ରୀ ଅଭୟ ୨୦୧୯ ଡିସେମ୍ବର ୯ ତାରିଖରେ ଓଡ଼ିଶା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ହାଇଦ୍ରାବାଦ୍ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଥିଲେ । ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ ।
